ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର : ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଭେଟିଛନ୍ତି । ସୌଜନ୍ୟମୂଳକ ସାକ୍ଷାତକାର ବେଳେ ପୁରୀ ରଥଯାତ୍ରା ଦେଖିବା ପାଇଁ ତାଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡ଼ିଛି ।
ଆଉ କିଛି ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିବେ । ସେହିପରି ଅପରାହଣ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ବିକଶିତ ଓଡ଼ିଶାର ରୋଡ଼ ମ୍ୟାପକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ସେହିପରି ଇସ୍ତାହାରରେ ବିଜେପି ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି କିଭଳି କାର୍ଯ୍ୟକାରୀ ହେବ ତା ଉପରେ ଆଲୋଚନା କରାଯିବ ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ଟଙ୍କା, ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଓ ଶ୍ରୀମନ୍ଦିର ପରିଚାଳନା ପାଇଁ ଅର୍ଥ ବରାଦ ନେଇ ବିସ୍ତୃତ ଆଲୋଚନା କରିବେ । କେନ୍ଦ୍ରୀୟ ପ୍ରବର୍ତ୍ତିତ ବିଭିନ୍ନ ଯୋଜନା ମଧ୍ୟ ଏଜେଣ୍ଡାରେ ସ୍ଥାନ ପାଇବ । ସଂଧ୍ୟା ୬ଟା ୪୫ରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗ ଦେଇଥିଲେ ।
2024-25 ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ହୋଇଥିଲା । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ । ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦିଆଯାଇଛି ।
ଏହି ସ୍ମାରକପତ୍ରରେ ଓଡିଶାରେ ବିଦେଶୀ ପୁଞ୍ଜିନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡିଶାକୁ ଇନଭେଷ୍ଟମେଣ୍ଟ ହବ କରିବା ପାଇଁ ଉପଯୁକ୍ତ ପ୍ରୋତ୍ସାହନ ଏବଂ ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା ଆଦି ପାଇଁ ଦାବି କରାଯାଇଛି । ସେହିପରି ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଜନା 2024-25 (SACI) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ, ସମ୍ବଲପୁରରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ କେନ୍ଦ୍ର ବଜେଟରେ ବ୍ୟବସ୍ଥା, ସୁଭଦ୍ରା ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ଆଂଶିକ ସହାୟତା ଆଦି ସମ୍ପର୍କରେ ଉଲ୍ଲେଖ ରହିଛି ।
…