ସମ୍ବଲପୁର : ନୂଆଁଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରରୀଙ୍କ ଦର୍ଶନ କରି ମନ୍ଦିରରେ ନୂଆ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ପତ୍ନୀ । ପ୍ରଥମେ ମା ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ । ସାଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମଧ୍ୟ ମାଆଙ୍କ ଦର୍ଶନ କରିଥିଲେ । ପରେ ସମସ୍ତେ ଏକାଠି ମନ୍ଦିରରେ ନବାନ୍ନ ଭକ୍ଷଣ କରିଥିଲେ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସେପଟେ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ଏକାଠି ନୂଆଖାଇଛନ୍ତି ରାଜପରିବାର । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ବିଧାୟକ କଲିକେଶ ନାରାୟଣ ସିଂଦେଓ ଏକାଠି ନୂଆଁ ଖାଇଥିଲେ । ମାଆ ପାଟଣେଶ୍ଵରୀଙ୍କୁ ନବାନ୍ନ ଅର୍ପଣ ପରେ ବଲାଙ୍ଗିର ଶୈୖଳଶ୍ରୀ ପ୍ୟାଲେସରେ ରାଜ ପରିବାର ସଦସ୍ୟ ରୁପା ଥାଳିରେ ନୂଆଁ ଖାଇଛନ୍ତି ।
ପାଟଣା ମହାରାଜ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ , ବଲାଙ୍ଗିର ସାଂସଦ ତଥା ବିଜେପି ନେତ୍ରୀ ସଙ୍ଗୀତା କୁମାରୀ ସିଂଦେଓ , ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ, ବିଜେଡି ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ପରିବାର ଦଳର ଉର୍ଦ୍ଧ୍ବକୁ ଆସି ନୂଆଁଖାଇ ପରମ୍ପରାକୁ ବଜାୟ ରଖିଛନ୍ତି ।
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଆଜି ପ୍ରତି ଘରେ ଘରେ ପିଠା ଓ ମିଠାର ବାସ୍ନା । ଛ ତିଅଣ ନ ଭଜାା ସବୁଠି ଉତ୍ସବର ମାହୋଲ। ନିର୍ଦ୍ଧାରିତ ସମୟରେ ମାଆ ସମଲେଶ୍ଵରୀ ଓ ପାଟଣେଶ୍ଵରୀଙ୍କ ଠାରେ ନବାନ୍ନ ଅର୍ପଣ ପରେ ନିଜ ନିଜ ଘରେ ସମସ୍ତେ ନୂଆଁ ଖାଇଛନ୍ତି । ରାଗ ,ରୁଷା,ମାନ ଅଭିମାନ ଭୁଲି ସମସ୍ତେ ଏକ ହୋଇଛନ୍ତି । ସାନମାନେ ବଡ଼ଙ୍କଠାରୁ ଜୁହାର ହୋଇ ଆଶୀର୍ବାଦ ନେଇଛନ୍ତି ।