ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ୱର : କମଳା ପୂଜାରୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ତାଙ୍କ ବିୟୋଗ ଦେଶ ପାଇଁ ଅପୂରଣୀୟ କ୍ଷତି । ପରିବେଶ ସୁରକ୍ଷା ପାଇଁ ତାଙ୍କର ଅବଦାନ ଗୁରୁତ୍ବପୂର୍ଣ୍ଣ ରହିଛି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗତ ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ କୃଷି ଏବଂ ସମାଜ ସୁଧାର କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ମନମୋହନ ସାମଲ ଗଭୀର ସମବେଦନା ଜଣାଇଛନ୍ତି ।

ସେହିପରି ଶୋକ ପ୍ରକାଶ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ସ୍ବର୍ଗତ କମଳା ପୂଜାରୀ ଆମର ଶତାଧିକ ଦେଶୀ ଧାନ ବିହନ ଗୁଡିକ ର ପାରମ୍ପରିକ ପଦ୍ଧତିରେ ସଂରକ୍ଷଣ ଓ ଜୈବିକ ଚାଷ ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରି ଭବିଷ୍ୟତରେ ଖାଦ୍ୟ ନିରାପତ୍ତା ସହିତ ପରିବେଶ ସୁରକ୍ଷା ଦିଗରେ ମହାନ ଅବଦାନ ରଖିଯାଇଛନ୍ତି। ତାଙ୍କ ବିୟୋଗ ସମାଜ ପାଇଁ ପାଇଁ ଏକ ଅପୂରଣୀୟ କ୍ଷତି । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି ।

ସୂଚନା ଅନୁସାରେ ଆଜି କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ କମଳା ପୂଜାରୀଙ୍କ ମୃତ୍ୟୁ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ପକ୍ଷରୁ ସୂଚନା ଦିଆଯାଇଛି । ୧୬ ସନ୍ଧ୍ୟାରେ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ୮ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଥିଲେ । ୧୮ ତାରିଖରେ କଟକ ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ମେଡ଼ିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡ଼ିସିନ ବିଭାଗର ଚାରିଜଣ ଡାକ୍ତରଙ୍କୁ ନେଇ ଏହି ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା। ସେମାନେ କମଳା ପୂଜାରୀଙ୍କର ଚିକିତ୍ସା କରୁଥିଲେ ।

You might also like