ପତ୍ରପୋଡା ମାଂସଠୁ ନେଇ ଦେଶୀ କୁକୁଡ଼ା ଝୋଳ, ମୁଖ୍ୟମନ୍ତ୍ରୀଙ୍କ ମଧ୍ୟାହ୍ନ ଭୋଜନରେ ପରସି ଦେଲେ ଏହି ଆଦିବାସୀ ପରିବାର

ଯାଜପୁର: ଉଷୁନା ଭାତକୁ, ଡାଲି, ବଢ଼ି ଚୁରା, ଆଳୁ ଭର୍ତ୍ତା, ଗୋଟା ପୋଟଳ, କଲରା, ସଜନା ଶାଗ, ସାଲାଡ଼, ପାମ୍ପଡ । ତା ସହିତ ଆମିଷରେ ପତ୍ରପୋଡା ମାଂସକୁ, ଦେଶୀ କୁକୁଡ଼ା ମାଂସ ତରକାରୀ ଭଳି ବିଭିନ୍ନ ଖାଦ୍ୟ । ତାପୁଣି ପରସା ଯାଇଛି ମୁଖ୍ୟମନ୍ତ୍ରୀଙ୍କ ପାଖରେ । ଆଉ ମନ ଖୁସିରେ ତଳେ ବସି ସବୁ ଆଇଟମ୍ କୁ ଖାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ତେବେ ଯାହା ସୂଚନା ମିଳିଛି କି, ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଆଦିବାସୀ ବସ୍ତିରେ ମଧ୍ୟାହ୍ନ ଭୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଡ଼ଚଣା ବ୍ଲକ ସମିଆ ପଞ୍ଚାୟତ ଜବାସୋଳ ଗ୍ରାମର ଆଦିବାସୀ ବ୍ୟକ୍ତି ଜଗୁ ସିଂ ଜାମୁଡ଼ାଙ୍କ ଘରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଢୋଲ ମାଦଳ ଓ ନାଚଗୀତର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ ଜଗୁ ସିଂଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ । ବିଭିନ୍ନ ପ୍ରକାର ଘରୋଇ ବ୍ୟଞ୍ଜନରେ ମୁଖ୍ୟମନ୍ତ୍ରୀଙ୍କୁ ଆପ୍ୟାୟିତ କରିଥିଲେ ଏହି ପରିବାର।
ତେବେ ଏହି ଆଦିବାସୀ ବସ୍ତିକୁ ମୁଖ୍ୟମନ୍ତ୍ରୀ ଆସିବା ଖବର ପାଇ ଖୁସିରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମିଆ ପଞ୍ଚାୟତ ଜବାସୋଳ ଗ୍ରାମବାସୀ । ଗ୍ରାମର ଆଦିବାସୀ ବ୍ୟକ୍ତି ଜଗୁ ସିଂ ଜାମୁଡ଼ାଙ୍କ ଘରେ ଚାଲିଥିଲା ଜୋରଦାର ପ୍ରସ୍ତୁତି ।
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଘରେ ଝୋଟି ଚିତା ପକାଇବା ସହ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ଉଷୁନା ଭାତଠୁ ଆରମ୍ଭ କରି ଦେଶୀ କୁକୁଡ଼ା ମାଂସ ତରକାରୀ ଯାଏ ସବୁ ଚୁଲିରେ ରନ୍ଧାଯାଇଥିଲା । ମନ୍ କି ବାତ୍ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ଏହି ଆଦିବାସୀ ବସ୍ତିରେ । ଆଉ ଜଗୁ ସିଂ ଜାମୁଡ଼ାଙ୍କ ଘରେ ବସି ମଧ୍ୟାହ୍ନ ଭୋଜନ କରିଥିଲେ । ଶାଳ ପତ୍ରରେ ସମସ୍ତ ବ୍ୟଞ୍ଜନ ପରସା ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କୁ ।
ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ଆଦିବାସୀ ବସ୍ତିରେ ଚାରା ରୋପଣ କରିଥିଲେ । ଏହା ପରେ ଗୋଷ୍ଠୀ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ମହିଳା ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଜଗୁ ସିଂ ଜାମୁଡ଼ାଙ୍କ ଘରକ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପରିବାର ଓ ଗ୍ରାମବାସୀଙ୍କ ସହ ଗ୍ରୁପ ଫଟୋ ଉଠାଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରଭୁ ଜଗନ୍ନାଥଙ୍କ ତୈଳ ଚିତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇବା ସହ ତାଙ୍କ ସହ କଥା ହୋଇ ବେଶ ଖୁସି ଅନୁଭବ କରିଥିଲେ ଏହି ପରିବାର।