ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ
ଭୁବନେଶ୍ୱର : ଲୋକସେବା ଭବନର ସମସ୍ତ କାର୍ଯ୍ୟକୁ ଆଜିଠାରୁ ବିଦ୍ଧିବଦ୍ଧ ଭାବରେ ଦାୟିତ୍ୱର ସହିତ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଦାୟିତ୍ୱ ଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ୱ ଦିଆଯିବ । ଓଡିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାରଣକୁ ଗୁରୁତ୍ୱ ଦିଆଯିବ। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ହେବ । ଏକାଡେମୀର ପୁନର୍ଗଠନ ଓ କାର୍ୟ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ । ପ୍ରତି ଜିଲ୍ଲାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ।
କେବେଳ ସେତିକି ନୁହେଁ ଅନୁବାଦ ଏକାଡେମୀ, ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ସରକାରୀ ଭାଷା ଆଇନରେ ସଂଶୋଧନ ହେବ। ବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ବରାନ୍ବିତ ହେବ । ବିଭିନ୍ନ ଐତିହ୍ୟ ପୀଠର ବିକାଶକୁ ଗୁରୁତ୍ବ ଦେବାକୁ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି ।
ତେବେ ଆଜି ସଚିବାଳୟରେ ନିଜ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଣ୍ଡିଆ ମାରି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ରାଜସ୍ବ ବିଭାଗର ବାର୍ଷିକ ବୈଠକରେ ଯୋଗ ଦେବେ । ଏହି କମିଟିରେ ମୁଖ୍ୟ ମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ଅନେକ ମନ୍ତ୍ରୀ, ସାଂସଦ ସଦସ୍ୟ ଉପସ୍ଥିତ ଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଇଏଏସ୍ ଏବଂ ଓଏଏସ୍ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭଗ୍ୟ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭାବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।