ବାତ୍ୟା ଜୱାଦ୍ କ୍ଷତିଗ୍ରସ୍ତଙ୍କୁ ୫୦୭ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ବାତ୍ୟା ଜୱାଦ୍ କ୍ଷତିଗ୍ରସ୍ତଙ୍କ ପାଇଁ ହେଲା ପ୍ୟାକେଜ ଘୋଷଣା । ୫୦୭ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ମିଳିବ ୬୮୦୦ ଟଙ୍କା । ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ମିଳିବ ।

ଆମ୍ବ, କାଜୁ, ନଡିଆ, ପାନବରଜ, କିଆ ଆଦି ଫସଲ ପାଇଁ ହେକ୍ଟର ପିଚ୍ଛା ଦିଆଯିବ ୧୮ ହଜାର ଟଙ୍କା ସହାୟତା । ସବୁଦିନିଆ ଫସଲ କ୍ଷତି ପାଇଁ ଇନ୍ପୁଟ୍ ସବ୍ସିଡି ଭାବରେ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ହଜାରେ ଟଙ୍କା ଦିଆଯିବ । ଏଥିସହ କ୍ଷତିଗ୍ରସ୍ତ ୧୨ଟି ଜିଲ୍ଲାର ଚାଷୀଙ୍କୁ ୧୨ ହଜାର କ୍ଵିଣ୍ଟାଲ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ।

ବର୍ତ୍ତମାନ ରିହାତି ପରିମାଣର ଅତିରିକ୍ତ ୨୫ ପ୍ରତିଶତ ଡିବିଟି ଜରିଆରେ ୨୦୨୧-୨୨ ରବି ଫସଲ ପାଇଁ ଦିଆଯିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ହଜାର ଡାଲି ଜାତୀୟ ବିହନ ମିନି କିଟ୍ ଯୋଗାଇ ଦେବେ ସରକାର । ଏଥିସହ ୪ ଲକ୍ଷ ପରିବା ବିହନ ମିନିକିଟ୍ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏକ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ୍ ପରିବା ଚାଷ ପାଇଁ ସହାୟତା ଦିଆଯିବ । ପ୍ରତି ଚାଷୀଙ୍କୁ ୦.୨୦ ହେକ୍ଟର ପାଇଁ ୪୦୦୦ ଟଙ୍କା ଲେଖାଏ ସହାୟତା ମିଳିବ । କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କର ଚାଷୀଙ୍କୁ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୫୦ କୋଟି ଟଙ୍କାର ରିହାତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.