ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତିି: ନବୀନ

ଭୁବନେଶ୍ୱର (କେନ୍ୟୁଜ): ଏଏନଆଇକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀ ଜାଣିଛନ୍ତି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୋର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ । ୧୦ ବର୍ଷ ହେଲା ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ହେଉଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଗତ ଏକମାସ ହେଲା ମୁଁ ନିର୍ବାଚନ ପ୍ରଚାର କରୁଛି । ମୋ ସ୍ବାସ୍ଥ୍ୟ ନେଇ ପ୍ରଧାନମନ୍ତ୍ରୀ ଯଦି ଏତେ ଚିନ୍ତିତ । ତାହେଲେ ମୋତେ ଫୋନ କରି ପଚାରି ପାରିଥାନ୍ତେ । କାରଣ ପ୍ରଧାନମନ୍ତ୍ରୀଙ୍କ ସହ ମୋର ଭଲ ସମ୍ପର୍କ । କିନ୍ତୁ ଏହା କରିବା ପରିବର୍ତ୍ତେ ଜନସଭାରେ ୩ଥର ମୋ ସ୍ୱାସ୍ଥ୍ୟ ଖରାପ ଥିବା କହିଲେ । ନିର୍ବାଚନରେ ଭୋଟ ପାଇବାକୁ ଏମିତି କରୁଛନ୍ତି ବୋଲି କହିଛନ୍ତି ନବୀନ । ମୁଁ ଲୋକଙ୍କ ସେବା ଜାରି ରଖିବି ।
ରାଜ୍ୟରେ ଆଗାମୀ ସରକାର ପ୍ରଶ୍ନରେ ନବୀନ କହିଛନ୍ତି ଚଳିତ ନିର୍ବାଚନରେ ବିଜେଡି ସଂଖ୍ୟାଗରିଷ୍ଠ ହେବ । ଓଡ଼ିଶାରେ ଆମେ ଏକ ମଜଭୁତ ସରକାର ଗଢ଼ିବୁ । ବିଜେପି ହତାଶ ହୋଇପଡ଼ିଛି । ହତାଶ ହୋଇ ବିଭିନ୍ନ ମିଛ କଥା ପ୍ରଚାର କରୁଛନ୍ତି । ଲୋକସଭାରେ ମଧ୍ୟ ଭଲ କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମର୍ଥନ ପ୍ରସଙ୍ଗରେ ଚିନ୍ତା କରିବୁ । ଉତ୍ତରାଧିକାରୀ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ । ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତିି । ଉତ୍ତରାଧିକାରୀ କିଏ ହେବେ ତାହା ରାଜ୍ୟବାସୀ ନିଷ୍ପତି ନେବେ । କାହିଁକି ଏମିତି ଅପପ୍ରଚାର କରାଯାଉଛି ତାହା ବୁଝିପାରୁନି । କାରଣ ପାଣ୍ଡିଆନ ନିର୍ବାଚନ ମଧ୍ୟ ଲଢୁନାହାନ୍ତି ବୋଲି କହିଛନ୍ତି ନବୀନ । ସେହିଭଳି ଦଳରେ ଅନ୍ୟନେତାଙ୍କ ତୁଳନାରେ ପାଣ୍ଡିଆନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ଯେଉଁ ଆଲୋଚନା ହେଉଛି ତା’ଉପରେ ନିଜ ମତ ରଖି ନବୀନ କହିଥିଲେ ଯେ, ଦଳରେ ଅନ୍ୟ ନେତାମାନେ ଗୁରୁତ୍ୱପୂର୍ଣ୍ଣ ପଦରେ ଅଛନ୍ତି । ଅନେକ ମନ୍ତ୍ରୀ ଅଛନ୍ତି । ତେଣୁ ଏଭଳି ଚର୍ଚ୍ଚା ଠିକ ନୁହେଁ ।
ଓଡ଼ିଶାରେ ପ୍ରକୃତ କ୍ଷମତା କାହା ପାଖରେ ଅଛି? ଏଏନଆଇଙ୍କ ଏହି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଭାବେ ମୋ ପାଖରେ ସବୁ କ୍ଷମତା ରହିଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ । ଆଜି ପର୍ଯ୍ୟନ୍ତ ଏମିତି କୌଣସି କ୍ୟାବିନେଟ ବୈଠକ ହୋଇନାହିଁ ଯେଉଁ ବୈଠକରେ ମୁଁ ଅଧ୍ୟକ୍ଷତା କରିନାହିଁ । ଏହା ମଧ୍ୟ ନବୀନ କହିଛନ୍ତି, ୨୭ ବର୍ଷ ହେବ ମୁଁ ରାଜନୀତିରେ ରହିଛି । ୨୭ ବର୍ଷ ହେବ ମୁଁ ଦଳର ସଭାପତି ଭାବେ କାମ କରୁଛି । ଆଗକୁ ମଧ୍ୟ ଦଳ ଚଳାଇବି ବୋଲି କହିଛନ୍ତି ନବୀନ ।