୨୦ରୁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ: ଓ୍ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମରେ ଯୋଗ ଦେବା ପାଇଁ ଯିବେ ରୋମ୍, ୨୯ରେ ଦୁବାଇରେ ନିବେଶକ ସମ୍ମିଳନୀରେ ହେବେ ସାମିଲ୍

ଭୁବନେଶ୍ବର(କେନ୍ୟୁଜ): ୨୦ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶ ଗସ୍ତ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବେ । ଓ୍ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମରେ ଯୋଗ ଦେବା ପାଇଁ ୨୦ ତାରିଖରେ ରୋମ୍‌ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ଜାତିସଂଘ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳ କାହାଣୀ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିବେ ।

ରାଜ୍ୟରେ କୃଷି, ଖାଦ୍ୟ ନିରାପତ୍ତା ଏବଂ ବିପର୍ଯ୍ୟୟ ପ୍ରଶମନର ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାର ଉଦ୍ୟମ, ସାମର୍ଥ୍ୟ ଓ ସଫଳତା ଅନ୍ୟମାନଙ୍କ ପାଇଁ କିଭଳି ଅନୁକରଣୀୟ ହୋଇପାରିଛି ସେ ସମ୍ପର୍କରେ ଓ୍ଵାର୍ଲଡ ଫୁଡ୍‌ ପ୍ରୋଗ୍ରାମକୁ ମୁଖ୍ୟମନ୍ତ୍ରୀ ଅବଗତ କରାଇବେ । ଗତ ଫେବ୍ରୁଆରୀରେ ଓ୍ଵାର୍ଲ୍ଡ ଫୁଡ ପ୍ରୋଗ୍ରାମର କଣ୍ଟ୍ରି ଡାଇରେକ୍ଟର ବିଶୋ ପାରାଜୁଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ । ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ରୋମରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ ।

ଦୁବାଇରେ ୨୯ ତାରିଖରେ ଓଡ଼ିଶା ସରକାର ଓ ଫିକି ପକ୍ଷରୁ ଅନୁଷ୍ଠିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ବିଭିନ୍ନ ଦେଶର ନିବେଶକମାନଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ନିବେଶକାରୀଙ୍କ ପାଇଁ ରହିଛି ପର୍ଯ୍ୟାପ୍ତ ସୁବିଧା ସୁଯୋଗ । ଓଡ଼ିଶାରେ ଖଣି, ଖଣି ଭିତ୍ତିକ ଶିଳ୍ପ, ପେଟ୍ରୋ କେମିକାଲ୍‌, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସି ଫୁଡ୍‌ ପ୍ରୋସେସିଂ, ଟେକ୍ସଟାଇଲ୍‌, ଆପାରେଲ୍‌ ଗାର୍ମେଣ୍ଟସ, ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶକଙ୍କ ପାଇଁ ସୁଯୋଗ ରହିଛି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ପ୍ରାୟ ୨ ଘଣ୍ଟା ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ୩୦ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଦିଲ୍ଲୀ ଓ ସେହିଦିନ ରାତିରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.