ଆଜି ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଥମ ଦିନରେ ନିବେଶକ ଓ ରାଷ୍ଟ୍ରଦୂତଙ୍କ ସମ୍ମିଳନୀରେ ଯୋଗଦେବେ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଟା ୪୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ଆଜି ପ୍ରଥମ ଦିନରେ ନିବେଶକ ଓ ରାଷ୍ଟ୍ରଦୂତଙ୍କ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆମେରିକା, ୟୁଏଇ, କାତାର, ଓମାନ୍‌, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ସାଉଦି ଆରବ, ବାହାରିନ୍‌, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବେଲଜିୟମ୍‌, ସିଙ୍ଗାପୁର, ଜାପାନ ଭଳି ଦେଶର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବେ । ଚଳିତବର୍ଷ ନଭେମ୍ବର ୩୦ରୁ ଡିେ,ମ୍ବର ୪ ତାରିଖ ଯାଏ ଓଡ଼ିଶା ସରକାର ମେନ୍‌ ଇନ୍‌ ଇଣ୍ଡିଆ କନକ୍ଲେଭ୍‌ ଆୟୋଜନ ହେଉଥିବାରୁ ଏଥିରେ ଯୋଗଦେବାକୁ ସେସବୁ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯିବ ।

ଓଡ଼ିଶରେ ପୁଞ୍ଜି ନିବେଶ ସୁଯୋଗ ନେଇ ସେମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କରୋନା ପାଇଁ ଦୁଇ ବର୍ଷ ପରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଆୟୋଜନ ହେଉଥିବାରୁ ରାଜ୍ୟ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ଓଡ଼ିଶାରେ ପୁଞ୍ଜିନିବେଶ କଲେ କ’ଣ ସୁବିଧା ଦିଆଯାଉଛି, ସେନେଇ ନିବେଶକଙ୍କୁ ବିସ୍ତତ ଭାବେ ଜଣାଇବେ ମୁଖ୍ୟମନ୍ତ୍ରୀ । ମେକ ଇନ୍‌ ଓଡ଼ିଶା ପାଇଁ ପ୍ରଥମେ ଦୁବାଇ, ପରେ ଅହମ୍ମଦାବାଦ, ଏବେ ଦିଲ୍ଲୀରେ ହେବାକୁ ଯାଉଛି ଇନଭେଷ୍ଟର୍ସ ମିଟ୍‌ । ଦୁବାଇରୁ ୨୧ ହଜାର ୩ ଶହ କୋଟି ଟଙ୍କାର ପୁଞ୍ଜି ଆସିଛି ।

ଅନେକ ଶିଳ୍ପପତିମାନେ ୨୦୧୬ରୁ ମେକ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଓଡ଼ିଶାରେ ବ୍ୟାପକ ପୁଞ୍ଜିନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ । ଦିଲ୍ଲୀ ଗସ୍ତ ଅବସରରେ ଆସନ୍ତା ୧ରୁ ୩ ତାରିଖ ଯାଏ କେନ୍ଦ୍ରରେ ପଡ଼ିଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କରିବେ । ୪ ତାରିଖରେ ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ୫ ତାରିଖରେ ମଧ୍ୟ କେନ୍ଦ୍ରରେ ବକେୟା ପ୍ରକଳ୍ପ ସଂପର୍କରେ ଆଲୋଚନା କରିବେ । ୬ ତାରିଖରେ ଓଡ଼ିଶା ଫେରିଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.