ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ଫନି ପ୍ରଭାବିତ ପରିବାରକୁ ସ୍ୱତନ୍ତ୍ର ଭାବେ ଦିଆଯାଉ ଘର

ଭୁବନେଶ୍ୱର(କେନ୍ୟୁଜ) : ଫନି ପ୍ରଭାବିତ ଏକଲକ୍ଷ ୮୪ହଜାର ପରିବାରକୁ ସ୍ୱତନ୍ତ୍ର ଭାବେ PMAY ଗ୍ରାମୀଣରେ ଘର ଯୋଗାଇ ଦିଆଯାଉ। ଏହା ସହ କେବିକେ ଏବଂ ଅନ୍ୟ ଆଦିବାସୀ ପ୍ରଭାବିତ ଜିଲ୍ଲାରେ ବାସ କରୁଥିବା ୧୩ଲକ୍ଷ ଗରିବ ଲୋକଙ୍କୁ ମଧ୍ୟ ଘର ଯୋଗାଇ ଦିଆଯାଉ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅଧିକ ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପରି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପିଏମଏୱାଇ ଗ୍ରାମୀଣରେ ରାଜ୍ୟର ୮ଲକ୍ଷ ୧୭ହଜାର ପରିବାରକୁ ଘର ପାଇଁ ଅନୁମତି ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ୨୦୧୯ ମାର୍ଚ୍ଚ ୭ ତାରିଖ ସୁଦ୍ଧା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଆୱାସ ପ୍ଲସରେ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ିବାକୁ କହିଥିଲା। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ଓ ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ଏଥିରେ ମାତ୍ର ୩୫ହଜାର ପରିବାରକୁ ଯୋଡ଼ାଯାଇପାରିଥିଲା।

କେନ୍ଦ୍ର ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ଆୱାସ ପ୍ଲସ ୱିଣ୍ଡୋ ଖୋଲିବା ପରେ ଆଉ ୭ଲକ୍ଷ ୮୭ ହଜାର ପରିବାର ଚିହ୍ନଟ ହୋଇଥିଲେ। ରାଜ୍ୟ ସରକାର ଆରଏଚ ପୋର୍ଟାଲ ଜରିଆରେ ଫନି ଦ୍ୱାରା ପ୍ରଭାବିତ ହୋଇନଥିବା ୧୬ଟି ଜିଲ୍ଲାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିଥିଲେ। ଏଥିରେ ୫ ଲକ୍ଷ ୯ହଜାର ପରିବାର ପିଏମଏୱାଇ ଗ୍ରାମୀଣ ଯୋଜନାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏମାନେ ମୁଖ୍ୟତଃ କେବିକେ ଓ ଅନ୍ୟ ଆଦିବାସୀ ପ୍ରଭାବିତ ଜିଲ୍ଲାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଜଣାଇଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.