ଉତ୍କର୍ଷ ଓଡ଼ିଶା କନକ୍ଲେଭ ୱେବସାଇଟ୍ ଉନ୍ମୋଚିତ, ଜାନୁଆରୀ ୨୮ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୨୮ ତାରିଖରେ ଉଦଘାଟନୀ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଏକ କାର୍ଯ୍ୟକ୍ରମ ନୁହେଁ, ଏକ ଆନ୍ଦୋଳନ ହେବ । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ମାଇଲଖୁଣ୍ଟ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଏହି ସମ୍ମିଳନୀରେ ଭାଗ ନେବେ ୫୦୦ ବିଦେଶୀ ନିବେଶକଙ୍କ ସହ ୫୦ ହଜାର ନିବେଶକ । ଭୁବନେଶ୍ଵରରେ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଅଫିସିଆଲ ୱେବସାଇଟ୍ ଉନ୍ମୋଚନ କରି ଏହା କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ରାଜ୍ୟର ସବୁ ଶିଳ୍ପସଂଘ ପ୍ରତିନିଧିଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଛି ଉତ୍କର୍ଷ ଓଡ଼ିଶା ୱେବସାଇଟ ।

ଆସନ୍ତା ଜାନୁଆରୀ ୨୮ ଓ ୨୯ ରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ । ୱେବସାଇଟରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦାନ ଓ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନାମ ପଞ୍ଜିକରଣ ବ୍ୟବସ୍ଥା ତଥା ସମ୍ମିଳନୀ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ଅଛି । ଏମିତିକି ଏଥର ୱେବସାଇଟରେ ନିବେଶକଙ୍କ ଲାଗି ନିବେଶ ଆଗ୍ରହ ନେଇ ପଞ୍ଜିକରଣ ବ୍ୟବସ୍ଥା ସହ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ପାଇଁ ବ୍ୟବସ୍ଥା ରହିଛି । ଯାହାକି ଶିଳ୍ପ ସଂସ୍ଥାଙ୍କ ଲାଗି ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଦୀର୍ଘମିଆଦୀ ନିୟୋଜନ ସହ ପୁଞ୍ଜି ନିବେଶକୁ ଅଧିକ ସରଳ ଓ ସ୍ୱଚ୍ଛ କରିବ । ୱେବସାଇଟରେ ପଞ୍ଜିକରଣ ପରେ QR କୋଡ ସ୍କାନ କରି ଉତ୍କର୍ଷ ଓଡ଼ିଶା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ନିବେଶକ ଓ ଅଂଶଗ୍ରହଣକାରୀ । ନୂଆ ସରକାର ଆସିବା ପରେ ରୋଡ ସୋ ଜରିଆରେ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି । .