ପୋଲିସର ବର୍ବରତା: ବିନା କାରଣରେ ଥାନାକୁ ଡକାଇ ଯୁବକଙ୍କୁ ମାଡ!

ସୁବର୍ଣ୍ଣପୁର (କେନ୍ୟୁଜ): ପୋଲିସର ବର୍ବରତା । ବର୍ବରତାର ସବୁ ସୀମା ଟପିଗଲା ପୋଲିସ୍ । ବିନା କାରଣରେ ଯୁବକଙ୍କୁ ଥାନାକୁ ଡକାଇ ଏମିତି ବାଡେଇଲା ଯେ ଏବେ ଚାଲିବା କି ବସିବା ଅବସ୍ଥାରେ ନାହାନ୍ତି ଯୁବକ ଜଣକ । ଏଭଳି ବର୍ବରତା ଦେଖାଇଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ୍ । ଯୁବକଙ୍କ ପିଚା,ଜଙ୍ଘ ଓ ପାଦରେ ପୋଲିସର ଏଭଳି ପ୍ରହାର ଲାଗିଛି ଯେ ଯାହାର ଭିଜୁଆଲ ଦେଖାଇବା ସମ୍ଭବପର ନୁହେଁ ।

ଅଭିଯୋଗ ଅନୁସାରେ ସୁବଳୟା ଥାନା ଟେଭାପଦର ଗାଁର ଜଗନ୍ନାଥ କର୍ମୀଙ୍କୁ ପୋଲିସ୍ ଗତ ତିନିଦିନ ତଳେ ଏକ ଚୋରୀ ମାମଲାର ତଦନ୍ତ ପାଇଁ ଥାନାକୁ ଡକାଇଥିଲା । ତଦନ୍ତ ଆଳରେ ଜଗନ୍ନାଥଙ୍କୁ ତିନିଦିନ ଧରି ଥାନାରେ ରଖି ନିସ୍ତୁକ ମାଡ ମାରିଥିଲେ ଥାନାର ଏଏସଆଇ । ତେବେ ଉକ୍ତ ଚୋରୀ ମାମାଲାରେ ଜଗନ୍ନାଥଙ୍କ କୌଣସି ସମ୍ପୃକ୍ତି ନଥିବା କହିଥିଲେ ବି ଏଏସଆଇ ବାବୁ ଜଣକ ନଶୁଣି ପ୍ରହାର ଉପରେ ପ୍ରହାର କରିଚାଲିଥିଲେ ।

ପୋଲିସ ମାଡରେ ଲହୁ ଲୁହାଣ ହୋଇଥିବା ଯୁବକଙ୍କୁ ପରିବାର ଲୋକ ମେଡିସିନ ଟିକେ ବି ଦେବାକୁ ପୋଲିସ ସୁଯୋଗ ଦେଇନଥିଲା । ଓଲଟି ଜଗନ୍ନାଥଙ୍କ ପରିବାର ବର୍ଗଙ୍କୁ ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଶେଷରେ ପରିବାର ଲୋକ ସୋନପୁର ଏସପିଙ୍କୁ ଫୋନ ଯୋଗେ ଜଣାଇଲା ପରେ ଏସପିଙ୍କ ନିର୍ଦ୍ଦେଶରେ ଗତକାଲି ସଂଧ୍ୟା ସାଢେ ଆଠଟାରେ ଜଗନ୍ନାଥଙ୍କୁ ଛାଡି ଦେଇଛି ସୁବଳୟା ପୋଲିସ୍ । ଏବେ ପୋଲିସ୍ ମାଡରେ ଲହୁଲୁହାଣ ହୋଇଥିବା ଜଗନ୍ନାଥଙ୍କକୁ ପରିବାର ଲୋକ ବୀରମହାରାଜପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଛନ୍ତି ।

ତେବେ ଯଦି ଜଗନ୍ନାଥ ପ୍ରକୃତରେ କୌଣସି ଚୋରୀ କେଶରେ ସମ୍ପୃକ୍ତ ଥିଲେ ତାହେଲେ ପୋଲିସ୍ କାହିଁକୁ ତାଙ୍କୁ ଜେଲ ହାଜତକୁ ନପଠାଇ ତିନିଦିନ ଧରି ଶାରିରିକ ଓ ମାନସିକା ଯନ୍ତ୍ରଣା ଦେଇଥିଲା? ଆଉ ଯଦି ପ୍ରକୃତରେ ଜଗନ୍ନାଥ ନିର୍ଦ୍ଦୋଶୀ ତାହେଲେ ତାଙ୍କୁ ପୋଲିସ ଦେଇଥିବା ଅମାନୁଷିକ ନିର୍ଯ୍ୟାତନା ପାଇଁ ପୋଲିସ୍ ଏଏସଆଇକୁ ଦଣ୍ଡବିଧାନ ହେବତ ? ଏବେ ଜିଲ୍ଲା ପୋଲିସ ମୁଖିଆ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ ଏବଂ ତାଙ୍କ ପରିବାର ଲୋକ ଦାବୀ କରିଛନ୍ତି । ଏନେଇ ପୋଲିସର ପ୍ରତିକ୍ରୀୟା ମିଳିପାରିନାହିଁ ।

 

You might also like