ରଥଯାତ୍ରା ପାଇଁ ପୋଲିସ ଡିଜିଙ୍କ ପ୍ରସ୍ତୁତି ବୈଠକ, ଟ୍ରାଫିକ ସୁପରିଚାଳନା ଓ ଭକ୍ତଙ୍କ ସୁରକ୍ଷିତ ଦର୍ଶନକୁ ଗୁରୁତ୍ଵ

ପୁରୀ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଡିଜିପି ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଡିଜିପି । ଏହାପରେ ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।  ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ ।

ଆବଶ୍ୟକତା ଅନୁଯାୟୀ ବୋମା ନିଷ୍କ୍ରିୟକାରୀ ଦଳ, ଏଚ୍ଏଚ୍ଏମଡି, ଡିଏମ୍ଏଫଡି, ମେଟାଲ ଡିଟେକ୍ଟର ଓ କାଉଣ୍ଟର ଗୁଇନ୍ଦା ସ୍କ୍ବାଡଙ୍କୁ ନିୟୋଜିତ କରାଯିବ । ଭିଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ।  ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ କରାଯିବ ।  ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର ଓ ଟ୍ରାଫିକ ଜୋନ୍ସ ବ୍ୟବସ୍ଥା କରାଯିବ ।  ସେହିପରି ସମୁଦ୍ର କୂଳରେ ପାଟ୍ରୋଲିଂ କଡାକଡି କରିବାକୁ ଦୃଷ୍ଟି ଦିଆଯିବ ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।  ଏଥର ରଥଯାତ୍ରାରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ପୁରୀରେ ସମାଗମ ହେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ବ୍ୟକ୍ତିବିଶେଷ ଅତିଥି ଭାବେ ସାମିଲ ହେବେ ।