ସାରା ଦେଶରେ ପ୍ରଥମ: ଜାପାନରେ ଗାଡ଼ି ଚଳାଇବେ ଓଡ଼ିଶା ଡ୍ରାଇଭର

ଭୁବନେଶ୍ୱର : ଜାପାନରେ ଗାଡ଼ି ଚଳାଇବେ ଓଡ଼ିଆ ଡ୍ରାଇଭର । ଜାପାନରେ ଉଚ୍ଚ ବେତନ ଓ ସୁବିଧା ସୁଯୋଗ ସହ ଚାକିରି କରିବାକୁ ଯିବେ ରାଜ୍ୟର ୩୦ ଚାଳକ । ସଫଳତା ପାଇଁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ । ଓଡ଼ିଶାର ଦକ୍ଷ ଚାଳକଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କ୍ଷେତ୍ରରେ ସଫଳତା । ଏହି ଅବସରରେ ଭୁବନେଶ୍ବର ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଜାପାନର ପ୍ରତିନିଧି ମଣ୍ଡଳି ଓ ଦେଶର ପ୍ରତିଷ୍ଠିତ ସଂସ୍ଥା ନାଭିସ ଏଚଆର ଦ୍ବାରା ଏହି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ୪ଟି ଭାରୀଯାନ ପ୍ରଶିକ୍ଷଣ କେନ୍ଦ୍ରରୁ ଉତ୍ତୀର୍ଣ୍ଣ ହୋଇଥିବା ୧୮୦ଜଣ ସୁବାହକ ଏଥିରେ ଅଂଶଗ୍ରହଣ କରିଥିଲେ । ଜାପାନ ଯିବା ପୂର୍ବରୁ ଏହି ଚାଳକମାନେ ବେଙ୍ଗାଳୁରୁ ଯିବେ । ସେଠାରେ ସେମାନଙ୍କୁ ଜାପାନ ଦେଶର ଭାଷା, ଚାଲିଚଳଣ, ନୀତିନିୟମ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ସେମାନଙ୍କ ପାସପୋର୍ଟ, ଭିସା ବ୍ୟବସ୍ଥା ମଧ୍ୟ କରାଯିବ । ଏ ବାବଦରେ ପ୍ରତି ଚାଳକ ପିଛା ୨ ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ କରାଯିବ ।
ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରାଜ୍ୟର ଚାରୋଟି ସ୍ଥାନରେ ଭାରୀଯାନ ତାଲିମ କେନ୍ଦ୍ର କାର୍ଯ୍ୟ କରୁଛି । ଏହି କେନ୍ଦ୍ରଗୁଡ଼ିକରେ ଆଧୁନିକ ତାଲିମ ସୁବିଧା, ପ୍ରଶିକ୍ଷକ, ଡ୍ରାଇଭିଂ ଟ୍ରାକ୍, ଏସି ଶ୍ରେଣୀଗୃହ ଏବଂ ହଷ୍ଟେଲ ସୁବିଧା ରହିଛି । ପ୍ରଶିକ୍ଷାର୍ଥୀମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗ, ବ୍ୟାୟାମ ସହ ଲାଇବ୍ରେରୀ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏଠାରେ ମଧ୍ୟ ପୂର୍ବରୁ ଲାଇସେନ୍ସପ୍ରାପ୍ତ ଯାନଚାଳକମାନଙ୍କୁ ମଧ୍ୟ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତିନି ଦିନିଆ ରିଫ୍ରେସର ପାଠ୍ୟକ୍ରମ ପ୍ରଦାନ କରାଯାଇଥାଏ ।
ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନଙ୍କରେ ଯାନଚାଳକ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯାଇଛି । ଯାନଚାଳକମାନଙ୍କ ପାଇଁ ଏଭଳି ଅଭିନବ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ପ୍ରଥମ ପର୍ଯ୍ୟାୟରେ ଜାପାନରେ କାମ କରିବାର ସୁଯୋଗ ପାଇବା ପାଇଁ ଓଡିଶାର ୩୦ ଜଣ ଯାନଚାଳକଙ୍କୁ ଚୟନ କରାଯାଇଛି ।