୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସବୁ ଦଳ , ରେସରେ ତିନି ପ୍ରମୁଖ ଦଳର କିଛି ବରିଷ୍ଠ ନେତାଙ୍କ ପୁଅଝିଅ

ଭୁବନେଶ୍ବର(କେନ୍ୟୁଜ୍) : ନିର୍ବାଚନ ଆଉ କିଛି ଦିନ ବାକି। ଏହା ପୂର୍ବରୁ କେଉଁ ଦଳରେ କାହାକୁ ଟିକେଟ ମିଳିବ ଓ କାହା ଟିକେଟ କଟିବ ତାକୁ ନେଇ ଚର୍ଚ୍ଚା ଜୋର। ରେସରେ ଅଛନ୍ତି ତିନି ପ୍ରମୁଖ ଦଳର ଭେଟେରାନଙ୍କ ପୁଅଝିଅ। ବିଜେଡିର କିଛି ବରିଷ୍ଠନେତା ନିଜ ପୁଅଝିଅଙ୍କୁ ଟିକେଟ ମିଳିବା ନେଇ ଆଶାୟୀ ଅଛନ୍ତି। ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ମଙ୍ଗଳା କିଷାନଙ୍କ ପୁଅ, ସୂଯ୍ୟର୍ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ, ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପୁଅ ଆଶାୟୀ ତାଲିକାରେ ଅଛନ୍ତି । ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ, ବିଧାୟକ ଯୁଗୋଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ, ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ, ଅନଙ୍ଗ ଉଦୟ ସିଂହଦେଓଙ୍କ ସାନପୁଅ ଅର୍କେଶ ସିଂହଦେଓ, ବିଷ୍ଣୁ ଦାସଙ୍କ ପୁଅ, ପ୍ରଦୀପ ମହାରଥିଙ୍କ ପୁଅ ମଧ୍ୟ ରେସରେ ଥିବା ଚର୍ଚ୍ଚା ହେଉଛି।

କଂଗ୍ରେସ ଟିକେଟ ରେସରେ ବି କିଛି ବରିଷ୍ଠ ନେତାଙ୍କ ପୁଅଝିଅ । ସେମାନଙ୍କ ମଧ୍ୟରେ ଅଛନ୍ତି ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି, ଅନନ୍ତ ସେଠୀଙ୍କ ପୁଅ କୁମାର ଚିରଞ୍ଜିବ, ଭକ୍ତ ଦାସଙ୍କ ପୁଅ ସାଗର ଦାସ, ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା, ହେମାନନ୍ଦ ବିଶ୍ୱାଳଙ୍କ ଝିଅ। ଏଥିରୁ ବାଦ ପଡ଼ିନି ବିଜେପି। ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ଵୀରାଜ ହରିଚନ୍ଦନ ବିଜେପି ରାଜନୀତିରେ ସକ୍ରିୟ ଥିବାବେଳେ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ। ତେବେ ଯୁବ ତଥା ବିଜୟ ସମ୍ଭାବନା ଥିବା ପ୍ରାର୍ଥିଙ୍କୁ ଟିକେଟ ମିଳିବା ନେଇ ମତ ରଖିଛନ୍ତି ରାଜନୀତି ବିଶାରଦ। ଅନ୍ଯପଟେ ପରିବାରବାଦ ସବୁ ଦଳରେ ରହିଛି। ତେବେ ଚଳିତ ନିର୍ବାଚନରେ ନୂଆ ଓ ଯୁବ ଚେହେରାଙ୍କୁ ଦଳ ଗୁରୁତ୍ୱ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।