କେରଳରୁ ଫେରିଲା ଓଡ଼ିଶା ଅଗ୍ନିଶମ ଟିମ୍

ଭୁବନେଶ୍ବର (କେନ୍ୟୁଜ୍) : କେରଳରୁ ଫେରିଲା ଓଡ଼ିଶା ଅଗ୍ନିଶମ ଟିମ୍ । ଗତକାଲି ୧୨୨ ଜଣ ଅଗ୍ନିଶମ କର୍ମଚାରୀ ଫେରିଥିବା ବେଳେ ବାକି ୧୨୩ ଜଣ ଆଜି ଫେରିବେ । ଏକ ସ୍ୱତନ୍ତ୍ର ବିମାନରେ ଆସି ୧୨୨ଜଣ ଅଗ୍ନିଶମ କର୍ମଚାରୀ ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଫେରିବା ପରେ ସେମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଗ୍ନିଶମ ବିଭାଗ ଆଇଜି ରାଜେଶ କୁମାର ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କେରଳରେ ପ୍ରଳୟଙ୍କରୀ ବନ୍ୟାରେ ବିପନ୍ନଙ୍କୁ ଉଦ୍ଧାର ପାଇଁ ଓଡ଼ିଶାରୁ ଏକ ଟିମ୍ ପଠାଇବା ପାଇଁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ । ଏହାପରେ ଓଡ଼ିଶାରୁ ୨୨୫ ଅଗ୍ନିଶମ କର୍ମଚାରୀ ଓ ୧୫ ଜଣ ସୁପରଭାଇଜର ସେଠାକୁ ପଠାଯାଇଥିଲା । କେରଳରେ ପ୍ରାୟ ୫ ହଜାର ଲୋକଙ୍କୁ ଉଦ୍ଧାର କରିଥିବାରୁ ସେମାନଙ୍କର ପ୍ରଶଂସା କରାଯାଇଛି ।