୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୁନିଅର ଟିଚରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ।

ନିଯୁକ୍ତି ପତ୍ର ପ୍ରଦାନ ପରେ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଆଜି ଠୁ ଆପଣମାନେ କେବଳ ଜଣେ ଜଣେ ଶିକ୍ଷକ ନୁହନ୍ତି । ଆଜିଠୁ ଆପଣମାନେ ଜଣେ ଜଣେ ମଣିଷ ଗଢା ଶିଳ୍ପୀ । ଶିକ୍ଷକତା ହେଉଛି ସବୁଠି ମହତ କାର୍ଯ୍ୟ, ସମ୍ମାନସ୍ପଦ ବୃତ୍ତି । ଗୁରୁମାନଙ୍କ ତ୍ୟାଗର ପଟାନ୍ତର ନାହିଁ ।

ଚଳିତ ବର୍ଷ ଶିକ୍ଷା ବଜେଟ ରେ 35536 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହାକି ଗତ ବର୍ଷ ବଜେଟରେ ଠାରୁ ବହୁତ ଅଧିକ । ଯାହାକି ଶିକ୍ଷା ଭିତ୍ତିଭୂମି ନିର୍ମାଣ କରିବାରେ ସହାୟକ ହେବ । ସମୁଦାୟ ବଜେଟର 10 ପ୍ରତିଶତରୁ ଅଧିକ ଶିକ୍ଷା ବିଭାଗକୁ ମିଳିଛି ।

ମୋ କର୍ମ ଜୀବନର ମୂଳଦୁଆ ଜଣେ ଶିକ୍ଷକ ଭାବେ ପଡ଼ିଥିଲା । ଯେଉଁ ଦେଶରେ ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ, ସେ ଦେଶର ଅଭିବୃଦ୍ଧି ସେତେ ଅଧିକ ବଢିଛି । ଆମ ସରକାର ସବୁବେଳେ କାମରେ ବିଶ୍ୱାସ କରନ୍ତି । ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି । ଗୋଟିଏ ବିଦ୍ୟାଳୟରେ ଜଣେ ଶିକ୍ଷକ, ଏଭଳି ବିଦ୍ୟାଳୟ ଆଜି ବି ଅନେକ ସ୍ଥାନରେ ଅଛି ।

ଏହାକୁ କିଭଳି ସୁଧାର କରାଯିବ । ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ରହିବା ଆବଶ୍ୟକ । ଯେଉଁଠି ଶିକ୍ଷକ ନାହାନ୍ତି ସେ ବିଦ୍ୟାଳୟର ଭବିଷ୍ୟତ କଣ ହେବ । ପିଲାଙ୍କ ଭବିଷ୍ୟତ କଣ ହେବ । ଅଭିଭାବକମାନେ କେମିତି ପିଲା ମାନଙ୍କୁ ପଠାଇବେ ।
ମହାପ୍ରଭୁ ଜଗନ୍ନାଥ ସେ ଉତ୍ତର ପାଇଁ ମୋତେ ଦାୟିତ୍ଵ ଦେଇଛନ୍ତି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହୋଇଛି । ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଯାହା ପିଲାମାନଙ୍କ ପାଇଁ ସହାୟକ ହେବ ।

ଡ୍ରପ ଆଉଟ୍ କମାଇବା ପାଇଁ ପୂର୍ବ ସରକାରରେ କୌଣସି ବ୍ୟବସ୍ଥା ନଥିଲା । ଏବେ ସରକାର ଆଦିବାସୀ ପିଲାଙ୍କ ଡ୍ରପ ଆଉଟ୍ ହାର କମାଇବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି।
ବିକଶିତ ଦେଶରେ ଶିକ୍ଷକମାନେ ଜଣେ ଜଣେ ପଥ ପ୍ରଦର୍ଶକ । ଶିକ୍ଷକତାକୁ ପେଶା ନୁହେଁ, ନିଶା ଭାବେ ଗ୍ରହଣ କରନ୍ତୁ । ନିଜ ବାପା ମାଆଙ୍କ ପରେ ସବୁଠୁ ଅଧିକ ସମୟ ପିଲାମାନେ ଶିକ୍ଷକମାନଙ୍କ ପାଖରେ ଅତିବାହିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ  ଅଭିଭାଷଣରେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like