ରାଜ୍ୟ ସରକାରଙ୍କ ଘୋଷଣା: ଇ-ଯାନ କିଣିଲେ ମିଳିବ ରିହାତି

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଏଣିକି ୨ ଚକିଆ ଯାନ କିଣିଲେ ୫ ହଜାରରୁ ୨୦ ହଜାର ଟଙ୍କା ଓ ୩ ଚକିଆ ଯାନ କିଣିଲେ ୩୦ ହଜାର ଟଙ୍କା ଓ ୪ ଚକିଆ ଯାନ କିଣିଲେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ ।

ଭୁବନେଶ୍ୱର (କେନ୍ୟୁଜ): ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟ୍ ଇ-ଯାନ ସବ୍‌ସିଡି ବଢ଼ାଇବା ନିଷ୍ପତ୍ତି ଉପରେ ମୋହର ମାରିବା ପରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରି ସବ୍‌ସିଡି ବୃଦ୍ଧି କରାଯାଇଛି। ପୂର୍ବରୁ ଦୁଇ ଚକିଆ ଇ-ଯାନ ଉପରେ ରାଜ୍ୟ ସରକାର ମାତ୍ର ୫ହଜାର ଟଙ୍କା ସବ୍‌ସିଡି ଦେଉଥିବାବେଳେ ଏବେ ସର୍ବାଧିକ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଦେବାକୁ ଘୋଷଣା କରିଛନ୍ତି। ସେହିପରି ପୂର୍ବରୁ ତିନି ଚକିଆ ଇ-ଯାନ ଉପରେ ରାଜ୍ୟ ସରକାର ସର୍ବାଧିକ ୧୦ହଜାର ଟଙ୍କା ସବ୍‌ସିଡି ଦେଉଥିବାବେଳେ ଏଣିକି ଏହାକୁ ୩୦ହଜାର ଟଙ୍କାକୁ ବଢ଼ାଇଛନ୍ତି।

ସେହିପରି ଚାରି ଚକିଆ ଇ-ଯାନ ଉପରେ ପୂର୍ବରୁ ବିଭିନ୍ନ ସର୍ତ୍ତରେ ସର୍ବାଧିକ ୫୦ହଜାର ଟଙ୍କା ସବ୍‌ସିଡି ଦେଉଥିବାବେଳେ ଏବେ ଏହାକୁ ସର୍ବାଧିକ ଦେଢ଼ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପ୍ରତି କିଲୋୱାଟ୍ ବ୍ୟାଟେରି ପିଛା ୧୦ହଜାର ଟଙ୍କା ସବ୍‌ସିଡି ରହିଛି। ଗାଡ଼ିରେ ଯେତେ କିଲୋୱାଟ୍ ବ୍ୟାଟେରି ଲାଗିଥିବ ସେ‌େତ ୧୦ହଜାର ଟଙ୍କା ସବ୍‌ସିଡି ମିଳିବ। ହେଲେ ସର୍ବାଧିକ ଦେଢ଼ଲକ୍ଷ ଟଙ୍କା ମିଳିବ।

ସୂଚନା ଅନୁସାରେ, ରାଜ୍ୟ ସରକାର ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦% ବିଦ୍ୟୁତଚାଳିତ ଯାନ ଚଳାଚଳ ଲକ୍ଷ୍ୟ ହାସଲ ପାଇଁ ଗତ ସୋମବାର ଓଡ଼ିଶା ବିଦ୍ୟୁତଚାଳିତ ଯାନ ନୀତି-୨୦୨୧ରେ ସଂଶୋଧନ କରିଛନ୍ତି । ୨୦୨୨ ମସିହା ଶେଷସୁଦ୍ଧା ରାଜ୍ୟରେ ମାତ୍ର ୪.୪୮% ବିଦ୍ୟୁତ ଚାଳିତ ଯାନ ପଞ୍ଜିକରଣ ହୋଇଥିବାରୁ ରାଜ୍ୟ ସରକାର ବିଦ୍ୟୁତଚାଳିତ ଗାଡ଼ି କ୍ରୟ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ରିହାତି ପରିମାଣକୁ ବୃଦ୍ଧି କରିଛନ୍ତି ।