ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଓଡ଼ିଶାର ୧୧ଟି ଜିଲ୍ଲାରେ ୭,୪୬୪ ନିଯୁକ୍ତି ସୃଷ୍ଟି କରିବ ୧୯ଟି ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁଏ) ବୈଠକରେ ୩୮୯୮.୫୪ କୋଟି ଟଙ୍କାର ୧୯ଟି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଜାରି ରଖିଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନୁମୋଦନ ହୋଇଥିବା ପ୍ରସ୍ତାବଗୁଡ଼ିକରେ ରାଜ୍ୟରେ ୭,୪୬୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଏହି ମଂଜୁରୀପ୍ରାପ୍ତ ପ୍ରସ୍ତାବଗୁଡ଼ିକ ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଶିଳ୍ପ-ଗ୍ୟାସ୍, ଲଜିଷ୍ଟିକ୍ସ, ଖାଦ୍ୟ ଓ ପାନୀୟ, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ଆତିଥେୟତା, ରାସାୟନିକ ପଦାର୍ଥ, ଧାତୁ, ପୋଷାକ ଓ ଟେକ୍ସଟାଇଲ୍ ଭଳି ବିଭିନ୍ନ ପ୍ରଭାବୀ କ୍ଷେତ୍ରରେ ଅନ୍ତର୍ଭୁକ୍ତ । ଏହି ଅନୁମୋଦନ ଭାରତର ଅନ୍ୟତମ ଆକର୍ଷଣୀୟ ନିବେଶ ସ୍ଥଳ ଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଇଛି । ଏହି ପ୍ରସ୍ତାବଗୁଡ଼ିକ ଅନୁଗୋଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଓଡ଼ିଶାର ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍ କ୍ଷେତ୍ରରେ ରାଜ୍ୟର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ଟାଟା ଷ୍ଟିଲ ଏହାର ଅଶୋଧିତ ଇସ୍ପାତ କ୍ଷମତାକୁ ପ୍ରସ୍ତାବିତ ୬. ୫ ଏମଟିପିଏରୁ ୭. ୧ ଏମଟିପିଏକୁ ବୃଦ୍ଧି କରିବାକୁ ଯାଉଛି ଏବଂ ଅତିରିକ୍ତ ୭୦୦ କୋଟି ଟଙ୍କା ବିନିଯୋଗ କରିବ ଯଦ୍ୱାରା ୩୭୫ ନୂତନ ନିଯୁକ୍ତି ସୃଷ୍ଟି କରିବ ।
କେନ୍ଦୁଝରରେ ଶ୍ରୀ ମେଟାଲିକ୍ସ ଲିମିଟେଡ୍ ଏହାର ସମନ୍ୱିତ ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ୮୮୫ କୋଟି ଟଙ୍କା ବିନିଯୋଗ କରିବ ଏବଂ ୯୫୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଲାଲ ବାବା ସିମଲେସ୍ ଟ୍ୟୁବସ୍ ପ୍ରାଇଭେଟ୍ ଲିମିଟେଡ୍ କଟକରେ ୨୦୦ କୋଟି ଟଙ୍କାର ଟ୍ୟୁବ୍ ଉତ୍ପାଦନ କାରଖାନା ସ୍ଥାପନ କରି ୫୦୦ ନିଯୁକ୍ତି ସୃଷ୍ଟି କରିବାକୁ ଯୋଜନା ରଖିଥିବା ବେଳେ ସୁର୍ଲନ୍ ଇଣ୍ଡିଆ ଲିମିଟେଡ୍ ସୁନ୍ଦରଗଡ଼ରେ ୫୫ କୋଟି ଟଙ୍କାର ରେଳବାଇ ଯନ୍ତ୍ରାଂଶ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ଏକ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି । ଏହି ପ୍ରକଳ୍ପଗୁଡ଼ିକ ଧାତୁ ଏବଂ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିବ । ଶିଳ୍ପ ଗ୍ୟାସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ କ୍ରମରେ ଲିଣ୍ଡେ ଇଣ୍ଡିଆ ଲିମିଟେଡ୍ ଯାଜପୁରରେ ଏକ ଅତ୍ୟାଧୁନିକ ଏୟାର ପୃଥକୀକରଣ ୟୁନିଟ୍ ପ୍ରତିଷ୍ଠା ପାଇଁ ୪୨୫ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛି । ଏଥିରେ ବାର୍ଷିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ରୁ ଅଧିକ ଶିଳ୍ପ ଗ୍ୟାସ ଉତ୍ପାଦନ କ୍ଷମତା ରହିବ ଏବଂ ଏହା ଦ୍ୱାରା ୧୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଭୁବନେଶ୍ୱରୀ ଫୁଡ୍ସ ଆଣ୍ଡ ବିଭରେଜ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ପାନୀୟ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ୩୦୦ କୋଟି ଟଙ୍କା ବିନିଯୋଗ କରିବ, ଯାହା ଦ୍ୱାରା ୮୨୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଛି । ସାମୁଦ୍ରିକ ଲଜିଷ୍ଟିକ୍ସରେ ଉନ୍ନତି ଆଣିବା ଏବଂ ୭୫ ଟି ନିଯୁକ୍ତି ସୃଷ୍ଟି କରି ଏସିଏମଇ କ୍ଲିନ୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ୩୬୬.୫୦ କୋଟି ଟଙ୍କାର ଏକ ଜେଟି-ବିହୀନ ଫ୍ଲୋଟିଂ ଟର୍ମିନାଲ୍ ବିକଶିତ କରିବ ।
ଖୋର୍ଦ୍ଧାରେ ବସନ୍ତବିହାର କନଷ୍ଟ୍ରକ୍ସନ ପକ୍ଷରୁ ୧୩୪.୫୦ କୋଟି ଟଙ୍କାର ଲଜିଷ୍ଟିକ୍ ପାର୍କ ପ୍ରତିଷ୍ଠା କରାଯିବ, ଯେଉଁଥିରେ ୨୯୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି, ଯାହା କି ବିଶ୍ୱସ୍ତରୀୟ ଲଜିଷ୍ଟିକ୍ ଭିତ୍ତିଭୂମି ସହିତ ରାଜ୍ୟର ବଢୁଥିବା ଶିଳ୍ପ ଭିତ୍ତିଭୂମିକୁ ସମର୍ଥନ କରିବ । ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ର ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ ଓ କୋରାପୁଟରେ ୬ଟି ପ୍ରକଳ୍ପକୁ ଆକର୍ଷିତ କରିଛି । ମୁଖ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ବୀରେନ୍ଦ୍ର ହୋଟେଲର ୧୦୫ କୋଟି ଟଙ୍କାର ରିସୋର୍ଟ ଏବଂ ୪ ତାରକା ହୋଟେଲ, ୯୯.୮୬ କୋଟି ଟଙ୍କାର ସ୍ପେକ୍ ବ୍ରୁ ହୋଟେଲ, ୮୬.୭୩ କୋଟି ଟଙ୍କାର ସୂର୍ଯ୍ୟ ଇକୋ ରିସୋର୍ଟ, ୮୦ କୋଟି ଟଙ୍କାର ଟେସ୍କୋ ହୋଟେଲ ଆଣ୍ଡ ମଲ୍ ଇନଫ୍ରା-ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ୭୮କୋଟି ଟଙ୍କାର ସତ୍ୱା ଓଲିଓ ପ୍ରାଇଭେଟ୍ ଲିମିଟେଡ୍ ଏବଂ ୫୫.୫୦ କୋଟି ଟଙ୍କାର ଟିକେ-ଇଣ୍ଟରନ୍ୟାସନାଲ ଲିମିଟେଡ୍ ମିଳିତ ଭାବେ ୧୪୪୮ରୁ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେମିକାଲ ଓ ପ୍ଲାଷ୍ଟିକ୍ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ହେଉଛି ।
ଜୟ ଶ୍ରୀ ଟି ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବାଲେଶ୍ୱରରେ ଏକକ ସୁପର ଫସଫେଟ୍ ପ୍ଲାଣ୍ଟ ସ୍ଥାପନ ପାଇଁ ୬୧ କୋଟି ଟଙ୍କା ବିନିଯୋଗ କରିବ । ଏତଦ୍ ବ୍ୟତୀତ ଏଚଭିଜି ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୫୫.୦୫ କୋଟି ଟଙ୍କାର ପ୍ଲାଷ୍ଟିକ୍ ଓ କେମିକାଲ ୟୁନିଟ୍ ସ୍ଥାପନ କରି ୨୦୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଓଡ଼ିଶାର ଶିଳ୍ପ ମୂଲ୍ୟ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ପାଇଁ କଳିଙ୍ଗ ଇନଫ୍ରା ପ୍ରୋଜେକ୍ଟସ୍ ଲିମିଟେଡ୍ ସମ୍ବଲପୁରରେ ୬୦ କୋଟି ଟଙ୍କାର କ୍ରାସ୍ ବ୍ୟାରିୟର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯେଉଁଥିରେ ୩୧୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କେନ୍ଦୁଝରରେ ଶ୍ରୀଜଗନ୍ନାଥ ସପ୍ଲାଏ କମ୍ପାନୀ ୫୧.୪୦ କୋଟି ଟଙ୍କା ବିନିଯୋଗ କରି ଆଖୁ ଦୋରୁହ ପ୍ରସ୍ତୁତ ଉତ୍ପାଦ ଓ ଗୋଦାମ ଗୃହ ନିର୍ମାଣ ପୁର୍ବକ ୧୧୦ଟି ନିଯୁକ୍ତି ସୃଷ୍ଟି, କୃଷି ଓ ଆନୁଷଙ୍ଗିକ ଉଦ୍ୟୋଗଗୁଡ଼ିକୁ ସହାୟତା କରିବ । ଶ୍ରୀ ସିଦ୍ଧି ବିନାୟକ ଟେକ୍ସକୋର୍ସ ପ୍ରାଇଭେଟ୍ ଲିଃ. ଖୋର୍ଦ୍ଧାରେ ସୂତା ରଙ୍ଗ ଓ ବୁଣା କପଡ଼ା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ ୧୦୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ୧୦୭୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ବୟନ ଶିଳ୍ପ ଉତ୍ପାଦନ ଓ ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।
ଆହୁରି ପଢ଼ନ୍ତୁ : ଆଇଏଏସ ନିକୁଞ୍ଜ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସ୍ଵତନ୍ତ୍ର ଦାୟିତ୍ଵ