ଭୁବନେଶ୍ବର : ରାଜ୍ୟ ସରକାରୀ ମହିଳା କର୍ମଚାରୀଙ୍କୁ ବର୍ଷକୁ ୧୨ ଦିନର ଅତିରିକ୍ତ ସାମୟିକ ଛୁଟି ମିଳିବ । ଏ ନେଇ ରାଜ୍ୟ ସରକାର ଆଗରୁ ନିଷ୍ପତ୍ତି ନେଇଥିଲେ । ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଛୁଟି ମାସକୁ ଗୋଟିଏ ଦିନ ହିସାବରେ ବର୍ଷକୁ 12 ଦିନ ନେଇପାରିବେ ।
ମହିଳାମାନଙ୍କ ମାସିକ ଋତୁସ୍ରାବ ସମୟରେ ହେଉଥିବା ଶାରୀରିକ ଅସୁବିଧାକୁ ବିଚାର କରି ରାଜ୍ୟ ସରକାର ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ପ୍ରଚଳିତ ୧୦ ଦିନର ସାମୟିକ ଛୁଟି ଓ ୫ ଦିନର ସ୍ବତନ୍ତ୍ର ସାମୟିକ ଛୁଟି ବ୍ୟତୀତ ୧୨ ଦିନର ଅତିରିକ୍ତ ସାମୟିକ ଛୁଟି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ମହିଳା କର୍ମଚାରୀମାନେ ୫୫ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ଏହି ଅତିରିକ୍ତ ସାମୟିକ ଛୁଟିକୁ ନେଇପାରିବେ । ସେହିପରି ଗୋଟିଏ ମାସର ଛୁଟି ଉକ୍ତ ମାସ ଭିତରେ ନେବାକୁ ପଡିବ । ଅଣ-ଉପଲବ୍ଧ ଛୁଟି ପରବର୍ତ୍ତି ମାସକୁ ଯାଇପାରିବ ନାହିଁ।