ଦୀପାବଳିରେ ଫୁଟିବନି ବାଣ, ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି କହିଲେ ସରକାର

ଭୁବନେଶ୍ୱର(କେନ୍ୟୁଜ୍‌) : ଏଥର ଦୀପାବଳି ଅବସରରେ ବାଣ ଫୁଟିବନି କି ବିକ୍ରି ହେବନି । ଏମିତି କଡ଼ା ନିୟମ ଆଣିଛନ୍ତି ରାଜ୍ୟ ସରକାର । ଯଦି କେହି ଏହି ନିୟମ ଭାଙ୍ଗେ ତେବେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଏକ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ।

ନଭେମ୍ବର ୧୪ରେ ପଡୁଛି ଦୀପାବଳି ଅମାବାସ୍ୟା । ତେଣୁ ସରକାର ନଭେମ୍ବର ୧୦ ତାରିଖରୁ ୩୦ ତାରିଖ ଯାଏ ଏହି ନିୟମ ବଳବତ୍ତର ରଖିଛନ୍ତି । ଏହି ନିୟମ ଭାଙ୍ଗିଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ତଥା ଅନ୍ୟ ସମ୍ପୃକ୍ତ ଆଇନର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ଓ ପୁଲିସକୁ ନିର୍ଦେଶ ଦିଆଯାଇଛି ।

firecrackers

ବାଣଫୁଟାଇବା ଫଳରେ ଅଧିକ ମାତ୍ରାରେ ନାଇଟ୍ରସ ଅକସାଇଡ, ସଲଫର ଡାଇଅକସାଇଡ, କାର୍ବନ ମନୋକସାଇଡ ପରି କ୍ଷତିକାରକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ । ଏହାଦ୍ବାରା ସମ୍ବେଦନଶୀଳ ଲୋକଙ୍କ ଶ୍ବାନଜନିତ ସମସ୍ୟା ଦେଖା ଦେଇଥାଏ । ବାଣ ଫୁଟିବା ସମୟରେ ଗୃହ ପୃଥକବାସରେ ରହିଥିବା ତଥା କୋଭିଡ-୧୯ ସଂକ୍ରମିତ ଥିବା ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଆହୁରି ଖରାପ କରିବାର ଆଶଙ୍କା ରହିଛି ।

ଏହାକୁ ଦୃଷ୍ଟିରେ ରଖି ସରକାର ଏପରି କଡ଼ା ନିୟମ କରିଥିବା ଜଣାଯାଇଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କମିଥିବା ବେଳେ ବିପଦ ଟଳିନି । ତେଣୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସରକାର ଏପରି ନିୟମ ଆଣିଛନ୍ତି ।