ନୂଆବର୍ଷରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ! ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଭେଟି ଦେବେ ସରକାର
ଭୁବନେଶ୍ଵର : ନୂଆବର୍ଷରେ ମିଳିପାରେ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ନୂଆବର୍ଷରେ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏନେଇ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମିଳିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତଙ୍କୁ ସୁଯୋଗ ଦିଆଯିବ। ଭେରିଫିକେସନରେ ଡେରି ହେଉଛି। ଆମେ ଡିସେମ୍ବର ୩୦ ତାରିଖ ଟାର୍ଗେଟ ରଖିଛୁ । ସବୁ ଭେରିଫିକେସନ୍ ଯଦି ସରିଲା ତେବେ ଜାନୁଆରୀରେ ମିଳିବ ଆଶା ଅଛି ବୋଲି ପ୍ରଭାତୀ ପରିଡା କହିଛନ୍ତି ।
ଏହା ମଧ୍ୟ କହିଛନ୍ତି ଯେ ବଣ୍ଡା ଘାଟି ଅପହଞ୍ଚ ଥିଲା । ସେଠାରେ ୧୨୦୦୦ରୁ ଉର୍ଦ୍ଧ୍ବ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୯୦୦୦ ମହିଳା ପାଇଛନ୍ତି ପ୍ରଥମ କିସ୍ତି। ଏଯାଏଁ ୩୦୦୦ ମହିଳା ପାଇ ନାହାଁନ୍ତି। ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହୋଇଛି ।
ସୂଚନା ଅନୁସାରେ ଗତକାଲି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବଣ୍ଡା ଲୋକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଘାଟିରେ ପାନୀୟ ଜଳ, ମୋବାଇଲ ଟାୱାର ଏବଂ ଯୋଗାଯୋଗ ପାଇଁ ବସ ଆବଶ୍ୟକ ବୋଲି ଅଭିଯୋଗ କରିଥିଲେ ବଣ୍ଡା ଜନଜାତି । ଏହି ସବୁ ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।