ଏଣିକି ବସ୍ରେ ପ୍ରଥମେ ଚଢ଼ିବେ ମହିଳା ଯାତ୍ରୀ, ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର

କଟକ : ବସ ଯାତ୍ରା ଆରମ୍ଭ କରିବା ବେଳେ ଯଦି ପ୍ରଥମ ଯାତ୍ରୀ ଭାବେ ଜଣେ ମହିଳା ଉଠନ୍ତି, ତେବେ ମା’ କାଳୀ କୋପ କରିବେ । ଗାଡିର ଚକା ଫାଟିବ, ଦୁର୍ଘଟଣା ହେବ । ଏପରିକି ଯଦି ଜଣେ ଋତୁସ୍ରାବ ମହିଳା ପ୍ରଥମେ ଗାଡ଼ିରେ ଚଢେ ତେବେ ବିଘ୍ନ ଘଟିବାର ଅନେକ ଉଦାହରଣ ରହିଛି ବୋଲି ବସ କର୍ମଚାରୀ ଓ ମାଲିକଙ୍କ ଏଭଳି ଅନ୍ଧବିଶ୍ବାସକୁ ଦୂର କରିବା ଲାଗି ପଦକ୍ଷେପ ନିଆଯାଇଛି । ଏଥିପାଇଁ ରାଜ୍ୟ ସରକାର ପରିବହନ ବିଭାଗକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି କ୍ରମରେ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ କଟକ ନେତାଜୀ ବସ୍ ଟର୍ମିନାଲରେ ହଠାତ୍ ପହଞ୍ଚି ମଙ୍ଗଳଵାର ଯାଞ୍ଚ କରିଥିଲେ । ବସ୍ରେ ପ୍ରଥମେ ମହିଳା ଯାତ୍ରୀ ଚଢ଼ିବାର ବ୍ୟବସ୍ଥା କରିଥିଲେ । ଏହି ଯାଞ୍ଚ ଆଗାମୀ ଦିନରେ ରାଜ୍ୟର ସମସ୍ତ ବସ୍ଷ୍ଟାଣ୍ଡରେ କରାଯିବାକୁ ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।
ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସ୍ ଚାଳକ ଓ କର୍ମଚାରୀମାନେ ସାଧାରଣତଃ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍ରେ ଚଢ଼ାଇ ଦେଉନଥିଲେ । ଏଭଳି କାର୍ଯ୍ୟ ଦ୍ବାରା ଏକ ପ୍ରକାର ମହିଳାଙ୍କୁ ଅସମ୍ମାନ କରାଯାଉଥିଲା । ତେଣୁ ଏଭଳି କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ)କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଧାରରେ ମଙ୍ଗଳବାର କଟକ ନେତାଜୀ ବସ୍ ଟର୍ମିନାଲରେ ମାରାଥନ୍ ଯାଞ୍ଚ କରାଯାଇଛି । ଏଣିକି ରାଜ୍ୟର ସମସ୍ତ ବସ୍ଷ୍ଟାଣ୍ଡରେ ଏଭଳି ଯାଞ୍ଚ ସହିତ ବସ୍ କର୍ମଚାରୀଙ୍କୁ ସଚେତନ କରାଯିବ । ଏଭଳି କୁସଂସ୍କାରକୁ କିଭଳି ରୋକାଯାଇପାରିବ ସେ ନେଇ ସମସ୍ତ ପ୍ରକାର ଉଦ୍ୟମ କରାଯିବ ।
ମଙ୍ଗଳବାର ସକାଳୁ ଏସ୍ଟିଏ ସଚିବ ଚିନ୍ମୟୀ ବିଶ୍ୱାଳ, ଉପପରିବହନ ଆୟୁକ୍ତ ବିରଞ୍ଚି ନାରାୟଣ ଅଧିକାରୀ ପ୍ରମୁଖ ଏକ ସ୍ୱତନ୍ତ୍ର ଟିମ୍ ସହିତ କଟକ ନେତାଜୀ ବସ୍ ଟର୍ମିନାଲରେ ପହଞ୍ଚି ଯାଞ୍ଚ କରିଥିଲେ । ଯାତ୍ରୀଙ୍କୁ ନେବାକୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ରୁଟ୍ର ୨୦ରୁ ଅଧିକ ବସ୍ ଉପରେ ନଜର ରଖିଥିଲେ । ପ୍ରଥମେ ଆସୁଥିବା ମହିଳା ଯାତ୍ରୀଙ୍କ ପ୍ରତି ବସ୍ କର୍ମଚାରୀମାନେ କିଭଳି ବ୍ୟବହାର ଦେଖାଉଛନ୍ତି, ଏହାକୁ ଦୂରରେ ରହି ପରିବହନ ବିଭାଗର ଅଧିକାରୀମାନେ ଅନୁଧ୍ୟାନ କରିଥିଲେ । ଏହାସହିତ ଟର୍ମିନାଲ୍ରେ ଥିବା ଅନେକ ମହିଳା ଯାତ୍ରୀଙ୍କଠାରୁ ଏଭଳି କୁସଂସ୍କାର ସମ୍ପର୍କରେ ପଚାରି ବୁଝିଥିଲେ ।
ଆହୁରି ପଢ଼ନ୍ତୁ : ରାଜ୍ୟରେ ୧୦୮ ଭଳି ଆରମ୍ଭ ହେବାକୁ ଯାଉଛି ୧୦୯ ସେବା, ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ନେବ ଘରକୁ କିମ୍ବା ଶ୍ମଶାନକୁ