ଓଏଏସ୍ ଅଧିକାରୀଙ୍କୁ ଚେତାବନୀ : ୧୦ ସୁଦ୍ଧା ବଦଳି ସ୍ଥାନରେ ଯୋଗ ନଦେଲେ ୧୧ ତାରିଖରୁ ନିଲମ୍ବନ
କଟକ : OAS ଅଫିସରଙ୍କୁ ନିଲମ୍ବନ ଚେତାବନୀ । ବଦଳି ହୋଇ ନୂଆ ସ୍ଥାନରେ ଯୋଗ ଦେଉ ନଥିବା ଓଏଏସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ କଡା ଚେତାବନୀ । ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦିଅ, ନଚେତ ୧୧ ତାରିଖରୁ ନିଲମ୍ବନ କରିବେ ସରକାର । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ କଡା ଚେତାବନୀ ଦେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ଅଗଷ୍ଟ ୧୭ ତାରିଖ ଓ ଅକ୍ଟୋବର ୧୭ ତାରିଖରେ ଓଏଏସ ଅଫିସରମାନଙ୍କର ବଡ଼ ଧରଣର ବଦଳି କରିଥିଲେ । ବଦଳି ସତ୍ତ୍ୱେ ଅନେକ ଓଏଏସ ଅଫିସର ନିଜର ପୂର୍ବ ସ୍ଥାନରେ କାର୍ଯ୍ୟ କରି ଆସୁଛନ୍ତି । ଗତ ୨୬ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଓଏଏସ ଅଫିସରଙ୍କୁ ବଦଳି ଅନୁଯାୟୀ ସାମୁହିକ ଭାବେ ପୁରୁଣା ସ୍ଥାନରୁ ରିଲିଫ କରାଯାଇଛି । ଏହା ସତ୍ତ୍ୱେ ସେମାନେ ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି । ଯେଉଁମାନେ ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି ସେମାନଙ୍କ ଦରମା ବନ୍ଦ କରିବାକୁ ଗତ ୩ ତାରିଖରେ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।
ଏହାପରେ ମଧ୍ୟ ବଦଳି ହୋଇଥିବା ଓଏଏସ ଅଫିସରମାନେ ନ ଶୁଣିବାରୁ ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ୧୦ ତାରିଖ ସୁଦ୍ଧା ଯେଉଁମାନେ ଯୋଗ ନ ଦେବେ ୧୧ ତାରିଖରୁ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ଯେଉଁ ଓଏଏସ ଅଫିସରମାନେ ଭୁବନେଶ୍ୱରରେ ବିଭାଗୀୟ ଟ୍ରେନିଂରେ ଅଛନ୍ତି ସେମାନେ ଟ୍ରେନିଂ ସରିବା ମାତ୍ରେ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି ।