ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡ଼ିଶା, ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ସହ ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ

ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ସପ୍ତମ ପର୍ଯ୍ୟାୟରେ ୧୨ଟି ପ୍ରକଳ୍ପର ଶୁଭାରମ୍ଭ ଓ ୧୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ୱାରା ଇସ୍ପାତ, ମସଲା, ସିମେଣ୍ଟ, ହୋଟେଲ, ମେଟାଲିକ୍ସ ଆଦି  । ୯ ହଜାର ୨୩୦ ଜଣଙ୍କୁ ନିଯୁକ୍ତି ମିଳିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୨୦ ମାସ ମଧ୍ୟରେ ୧୨୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭ ଉଦଘାଟନ କରାଯାଇଛି। ଏହି ପୁଞ୍ଜିନିବେଶ ଦ୍ୱାରା ଏକ ଲକ୍ଷ ୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ରାଜ୍ୟ ସରକାରଙ୍କ ଫୋକସରେ ଶିଳ୍ପାୟନ । ସଚିବାଳୟରେ ୧୨ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ୧୦ ନୂଆ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ, କଳିଙ୍ଗନଗରରେ ଜେଏସଡବ୍ଲୁ ସିମେଣ୍ଟ, ଆଠଗଡ଼ରେ ଆରତି ଷ୍ଟିଲ, କଟକ ଜିଲ୍ଲାରେ ଜେ.କେ ଲକ୍ଷ୍ମୀ ସିମେଣ୍ଟ ଆଦି ୧୦ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଦେଶର ସବୁଠୁ ଅଧିକ ପୁଞ୍ଜିନିବେଶ ହେଉଥିବା ତିନିଟି ସ୍ଥାନ ଭିତରେ ଓଡ଼ିଶା ନିଜକୁ ରଖିବା ପାଇଁ ଲକ୍ଷ୍ୟ ରଖିଛି। ୫-T ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

MAKE IN ODISHA

ମେକ୍‌ ଇନ ଓଡ଼ିଶା-୨୦୧୮ରେ ଭାଗ ନେଇଥିବା ବିଭିନ୍ନ ଶିଳ୍ପସଂସ୍ଥା ରାଜ୍ୟରେ ୪ ଲକ୍ଷ ୨୩ ହଜାର କୋଟି ଟଙ୍କା ପୁଂଜିନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ଦ୍ୱାରା ୫ ଲକ୍ଷ ୯୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିଗତ ସାତ ଆଠ ମାସ ମଧ୍ୟରେ ୨୦୨ଟି ପ୍ରକଳ୍ପରୁ ୬୧ ପ୍ରକଳ୍ପ ପାଇଁ ଅନୁମତି ମିଳିଛି। ଅନ୍ୟପକ୍ଷରେ ସପ୍ତମ ପର୍ଯ୍ୟାୟରେ ଭିତ୍ତିପ୍ରସ୍ତର ଓ ଉଦଘାଟନ ଥିବା ପ୍ରକଳ୍ପରେ ୪୪୬୧ କୋଟି ଟଙ୍କାର ପୁଂଜିନିବେଶ ହେଉଥିବା ବେଳେ ୯୪୫୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହେବାକୁ ଯାଉଛି।

ଏହାପୂର୍ବରୁ ଗତକାଲି ସିଙ୍ଗିଲ ଓ୍ଵିଣ୍ଡୋ କ୍ଲିଅରାନସ କମିଟି ବୈଠକରେ ୫ଟି କ୍ଷେତ୍ରରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ମୋଟ୍‌ ୧୦୩୬.୩୯ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଏହାଦ୍ୱାରା ୨୭୭୮ ଜଣ ନିଯୁକ୍ତି ସୁଯୋଗ ପାଇବେ ।