ଅବସରପ୍ରାପ୍ତ ଆଇଏଏସ ଅଫିସର ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଅବୈଧ ଘୋଷଣା କଲେ ଓଡିଶା ହାଇକୋର୍ଟ

କଟକ(କେନ୍ୟୁଜ୍): ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅବସରପ୍ରାପ୍ତ ଆଇଏଏସ ଅଫିସର ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଅବୈଧ ଘୋଷଣା କଲେ ଓଡିଶା ହାଇକୋର୍ଟ। ଏହି ପଦବୀରେ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ ଗୋପବନ୍ଧୁ ଶତପଥୀ ସମବାୟ ବ୍ୟାଙ୍କର ଏମଡି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ସେ ସରକାରୀ ଚାକିରୀରୁ ଅଵସର ନେବା ପରେ ୨୦୨୨ ମାର୍ଚ୍ଚ ୨ ରେ ଗୋପବନ୍ଧୁଙ୍କୁ ଏମଡି ଭାବେ ପୁନଃ ନିଯୁକ୍ତି କରିଥିଲେ ରାଜ୍ୟ ସରକାର। କିନ୍ତୁ ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁମତି ନିଆଯାଇ ନଥିଲା। ଏହା ସହିତ ଏଭଳି ନିଯୁକ୍ତି ରାଜ୍ୟ ସମବାୟ ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇଛନ୍ତି ଓଡିଶା ହାଇକୋର୍ଟ।

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ)ର ମ୍ୟାନେଜିଂ ଡାଇରେକ୍ଟର(ଏମ୍‌.ଡି.) ଭାବେ ଗୋପବନ୍ଧୁ ଶତପଥୀଙ୍କ ପୁନଃ ନିଯୁକ୍ତିକୁ ଚାଲେଞ୍ଜ କରି ସୁନ୍ଦରଗଡ଼ର ବେଣୁମାଧବ ତ୍ରିପାଠୀ ଏକ ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା।

ପୂର୍ବରୁ ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା। ବ୍ୟାଙ୍କ ଏମ୍‌ଡିଙ୍କ ନିଯୁକ୍ତିକୁ ନେଇ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଗ୍ରହଣୀୟତାକୁ ନେଇ ପ୍ରତିପକ୍ଷ ପ୍ରଶ୍ନ ଉଠାଇଥିଲେ। ଆବେଦନକାରୀ ରାଜନୈତିକ ଉଦ୍ଦେଶ୍ୟ ନେଇ ଏପରି ମାମଲା ରୁଜୁ କରିଛନ୍ତି ବୋଲି ପ୍ରତିପକ୍ଷ ଦର୍ଶାଇଥିଲେ। ଅନ୍ୟପକ୍ଷରେ ରାଜ୍ୟ ସମବାୟ ବ୍ୟାଙ୍କ ଏମ୍‌ଡି ପଦରେ ବେଆଇନ ନିଯୁକ୍ତି ଅଭିଯୋଗ ଜନସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏ ସଂପର୍କିତ ଜନସ୍ବାର୍ଥ ମାମଲା ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଗ୍ରହଣୀୟ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଗୋପବନ୍ଧୁ ଶତପଥୀ ଓଡ଼ିଶା ସମବାୟ ବ୍ୟାଙ୍କର ଏମ୍‌ଡି ଭାବେ ପୁନଃ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ୨୦୨୨, ମାର୍ଚ୍ଚ ୨ରେ ପ୍ରକାଶ କରିଥିବା ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.