ବୈକୁଣ୍ଠଧାମ ଆଶ୍ରମ ପାଇଁ ବଢିଛି ଅଡ଼ୁଆ: ଅନ୍ତରୀଣ ସୁରକ୍ଷା ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ଭୁବନେଶ୍ବର ଘାଟିକିଆ ମୌଜା ଅନ୍ତର୍ଗତ ଖଣ୍ଡଗିରିବାରିସ୍ଥିତ ବୈକୁଣ୍ଠଧାମ ଆଶ୍ରମ ପାଇଁ ବଢିଛି ଅଡ଼ୁଆ । ପୂର୍ବରୁ ହାଇକୋର୍ଟଙ୍କ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ଆଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି । ଫେବ୍ରୁଆରି ୩ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ୨୦୨୪, ଡିସେମ୍ବର ୨୦ରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ଜମିକୁ ଟ୍ରଷ୍ଟ ନାଁରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁପାରିଶ କରିଥିବା ଦର୍ଶାଇ ଆବେଦନକାରୀ ଦାଖଲ କରିଥିବା ଚିଠିଟି ଏକ ଜାଲ ଚିଠି । ଏ ନେଇ ସତ୍ୟପାଠ ଦାଖଲ କରିବାକୁ ଡିସେମ୍ବର ୨୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ ଜାନୁଆରି ୨ରେ ସରକାରଙ୍କ ତରଫରୁ ଏହି ମର୍ମରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଏପରି କୌଣସି ଚିଠି ଜାରି କରାଯାଇ ନଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ଏହି ସତ୍ୟପାଠର କପି ଆବେଦନକାରୀ ଓ ବିଏମସିକୁ ପ୍ରଦାନ କରିବାକୁ ହାଇକୋର୍ଟ ଜାନୁଆରି ୩ରେ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ଆବେଦନର ଶୁଣାଣି ସମୟରେ ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟ ସଂକ୍ରାନ୍ତରେ ସରକାରଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାପରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସରକାରଙ୍କ ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।