ଦୀପାବଳିରେ ବାଣଫୁଟା ଓ ବିକ୍ରି ଉପରେ ଆଜି ହାଇକୋର୍ଟରେ ଶୁଣାଣି

କଟକ(କେନ୍ଯୁଜ୍): ଦୀପାବଳିରେ ବାଣଫୁଟା ଓ ବିକ୍ରି ଉପରେ ଆଜି ହେବ ହାଇକୋର୍ଟରେ ଶୁଣାଣି । ଅଲ୍‌ ଓଡିଶା ଫାୟାର ୱାର୍କସ ଡିଲରସ ଆସୋସିଏସନର ପକ୍ଷରୁ ଦାୟର ଆବେଦନ ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବେ। ଗତ ଶୁକ୍ରବାର ହାଇକୋର୍ଟ ଏନେଇ ଶୁଣାଣି କରି ଏସଆରସି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାମଲାରେ ଏସ୍‌ଆରସି ଶୁଣାଣି କରିଥିବା ବେଳେ ଆଜି ସାଢେ ୧୦ଟା ସୁଦ୍ଧା ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ । ଗ୍ରୀନ୍‌ କ୍ରାକର ପାଇଁ ଅନୁମତି ପ୍ରଦାନ କରିବାକୁ ଏହି ଆବେଦନ କରାଯାଇଛି । ସୁପ୍ରିମକୋର୍ଟ ଓ ଗ୍ରୀନ୍‌ ଟ୍ରିବୁନାଲଙ୍କ ନିର୍ଦ୍ଦେଶନାମା ଆଧାରରେ ଏସଆରସି ଗ୍ରୀନ୍‌ କ୍ରାକରକୁ ଅନୁମତି ଦିଆଯିବ କି ନାହିଁ ତାହାର ନିଷ୍ପତ୍ତି ନେଇଛନ୍ତି । ଅଲ୍‌ ଓଡିଶା ଫାୟାର ୱାର୍କସ ଡିଲରସ ଆସୋସିଏସନର ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି, ରାଜ୍ୟରେ କୋଭିଡ୍‌ ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବା ସରକାର ସ୍ୱୀକାର କରିବା ସହ ବିଭିନ୍ନ କ୍ଷେତ୍ରକୁ କଟକଣା ମୁକ୍ତ କରିଛନ୍ତି ।

ହେଲେ ବାଣ ଉପରେ ନିଷେଧାଦେଶ ଯୋଗୁଁ ଛୋଟ ବଡ଼ ବ୍ୟବସାୟୀ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ସବୁଜ ବାଣ ବିକ୍ରି ଓ ଫୁଟାଇବା ପାଇଁ ଦୀପାବଳିରେ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି । ଗତ ସେପ୍ଟେମ୍ବର ୩୦ରେ ସରକାର ନୂଆ ନିୟମାବଳୀ ଜାରି କରି ଚଳିତ ବର୍ଷ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ହେବନି କି ଫୁଟିବନି ବୋଲି ସ୍ପଷ୍ଟ କରିଥିଲେ । ଏପଟେ ନଭେମ୍ବର ମାସ ଗାଇଡ଼ଲାଇନରେ ଦୀପାବଳିରେ ବାଣ ଫୁଟିବା ଏବଂ ବିକ୍ରି ଉପରେ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଆସିବ ବୋଲି ଉଲ୍ଲେଖ କରାଯାଇଛି । ତେଣୁ ହାଇକୋର୍ଟରେ ଶୁଣାଣି ଶେଷ ହେବା ଓ ରାୟ ଆସିବା ପରେ ହିଁ ସରକାରଙ୍କ ଦୀପାବଳି ଗାଇଡ଼ଲାଇନ ଆସିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.