ନୀତି ଆୟୋଗର ଜିଲ୍ଲା ହସ୍ପିଟାଲର ପାରଦର୍ଶିତା ସମ୍ପର୍କିତ ରିପୋର୍ଟ:ଦ୍ୱାଦଶ ସ୍ଥାନରେ ଅଛି ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ):  ଆସିଲା ନୀତି ଆୟୋଗର ଜିଲ୍ଲା ହସ୍ପିଟାଲର ପାରଦର୍ଶିତା ସମ୍ପର୍କିତ ରିପୋର୍ଟ । ଯେଉଁଥିରେ ସରକାରୀ ଜିଲ୍ଲା ହସ୍ପିଟାଲ୍‌ ବେଡରେ କେତେ ରୋଗୀ ଚିକିତ୍ସିତ ହେଉଛନ୍ତି ଉଲ୍ଲେଖ ରହିଛି । ତାଲିକାରେ ଆଗରେ ଅଛି ଚଣ୍ଡୀଗଡ଼ ।ସେଠାରେ ୯୦ ପ୍ରତିଶତ ବେଡ୍‌ ଭର୍ତ୍ତି ଅଛି । ଓଡ଼ିଶାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଡ୍‌ ଅକୁପାନ୍ସୀ ରେଟ୍‌ ରହିଛି ୬୫.୬୮ ପ୍ରତିଶତ । ଏହି ତାଲିକାରେ ଦ୍ୱାଦଶ ସ୍ଥାନରେ ଅଛି ଓଡ଼ିଶା । ବେଡ୍‌ ଅକୁପାନ୍ସୀ ରିପୋର୍ଟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଥା ଉଲ୍ଲେଖ ରହିଛି । ସେଠାରେ ପ୍ରତି ମାସରେ ୯ରୁ ୧୦ ହଜାର ରୋଗୀ ବଲାଙ୍ଗିର ହସ୍ପିଟାଲର ବେଡରେ ଚିକିତ୍ସିତ ହେଉଛନ୍ତି ।

ସେହିପରି ନୀତି ଆୟୋଗ ଦ୍ୱାରା ଜାରି ରିପୋର୍ଟରେ ପାରଳାଖେମୁଣ୍ଡି ଓ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉଦାହରଣ ଦିଆଯାଇଛି । ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ୱଚ୍ଛତା ପ୍ରସଙ୍ଗରେ ତାରିଫ କରାଯାଇଛି । ଦେଶରେ ଲକ୍ଷେ ଜନସଂଖ୍ୟାରେ ରହିଛି ୨୪ଟି ବେଡ୍‌ । ଏହି ତାଲିକାରେ ପଣ୍ଡିଚେରୀ ଶୀର୍ଷ ସ୍ଥାନରେ ରହିଛି । ଯେଉଁଠି ପ୍ରତି ଲକ୍ଷେ ଲୋକରେ ବେଡ୍‌ ସଂଖ୍ୟା ରହିଛି ୨୨୨ । ଓଡ଼ିଶାରେ ଏହି ସଂଖ୍ୟା ୨୨ । ତାଲିକାରେ ଓଡ଼ିଶାର ର‍୍ୟାଙ୍କ ହେଉଛି ୨୧ । ପଶ୍ଚିମବଙ୍ଗ ଓ ଗୁଜରାଟରେ ଲକ୍ଷେ ଜନସଂଖ୍ୟାରେ ୧୯ଟି ଲେଖାଏଁ ବେଡ୍‌ ଥିବା ବେଳେ ଆନ୍ଧ୍ର ଓ ଆସାମରେ ୧୮ଟି ଲେଖାଏ ଓ ଉତ୍ତରପ୍ରଦେଶରେ ରହିଛି ୧୩ ବେଡ୍‌ । ବିହାରରେ ପ୍ରତି ଲକ୍ଷେ ଲୋକରେ ସବୁଠୁ କମ୍‌ ୬ଟି ବେଡ୍‌ ରହିଛି ।

ସେହିପରି ରିପୋର୍ଟରେ ଉଲ୍ଲେଖ ରହିଛି, ଭାରତୀୟ ଜନସ୍ୱାସ୍ଥ୍ୟ ମାନକରେ ରାଜ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର, ଷ୍ଟାଫନର୍ସ ଓ ପାରାମେଡିକାଲ ଷ୍ଟାଫଙ୍କ ଅନୁପାତ କେତେ ? IPHS ନିୟାମବଳୀ ଅନୁସାରେ ଶହେ ବେଡ୍‌ ପାଇଁ ୨୯ ଜଣ ଡାକ୍ତର, ୪୫ ନର୍ସ ଓ ୩୧ ପାରାମେଡିକାଲ୍‌ ଷ୍ଟାଫ୍‌ ରହିବା କଥା । ଏହି ନିୟମ ଅନୁସାରେ ଓଡ଼ିଶାର ହସ୍ପିଟାଲରେ ୨୫ ପ୍ରତିଶତ ଡାକ୍ତର, ୩.୧୩ ପ୍ରତିଶତ ଷ୍ଟାଫ୍‌ ନର୍ସ ଓ ୫୯.୩୮ ପ୍ରତିଶତ ପାରାମେଡିକାଲ୍‌ ଷ୍ଟାଫ୍‌ ଅଛନ୍ତି ।

Leave A Reply

Your email address will not be published.