ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ, ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ତାପମାତ୍ରା
ଭୁବନେଶ୍ୱର (କେନ୍ୟୁଜ): ଭୟଙ୍କର ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଖସୁଛି ନିଆଁ । ଆହୁରି ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଆଜି ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର । ୪୨.୨ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର । ସମ୍ବଲପୁର-୪୨ ଡିଗ୍ରୀ, ହୀରାକୁଦ ୪୦.୪ ଡିଗ୍ରୀ ତାପମାତ୍ର ରହିଛି । ପଶ୍ଚିମରେ ଗରମ ଓ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ।
ଏନେଇ ଆସନ୍ତା ୪୮ ଘଣ୍ଟାରେ ଅତି ପ୍ରବଳ ଗ୍ରୀଷ୍ମ ଲହରୀ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ , ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ମିଂ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରୀ ସ୍ଥିତି ଉପୁଜିପାରେ । ଏବେ ମୁଖ୍ୟତଃ ଉପକୂଳ ଓଡ଼ିଶାରେ ଆଦ୍ରତା ୮୦ ପ୍ରତିଶତରୁ ଅଧିକ ରହିଛି। ଫଳରେ ତାପମାତ୍ରା କମ୍ ଥିଲେ ମଧ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।
ଆସନ୍ତା୫ ଦିନ ଧରି ଏଭଳି ସ୍ଥିତି ଜାରି ରହିବ । ସେହିପରି ୨ ତାରିଖ ଯାଏଁ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ତେବେ ଗତ ୨୪ ଘଣ୍ଟାରେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅଯଥା ବାହାରେ ବୁଲିବା ଦ୍ବାରା ଅଂଶୁଘାତର ସମ୍ଭାବନା ରହିଛି। ତେଣୁ ସତର୍କ ରହିବା ପାଇଁ କହିଛି ପାଣିପାଗ କେନ୍ଦ୍ର ।