ଦୁଃଖ ଦୂର କଲା ଓଡିଶା ମୋ ପରିବାର: ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟାଇଲା ହସ, ସ୍ଵାବଲମ୍ବୀ ହେବାକୁ ଯୋଗାଇ ଦେଲା କୃତ୍ରିମ ଗୋଡ଼

ଭୁବନେଶ୍ବର (କେନ୍ୟୁଜ): ଦିବ୍ୟାଙ୍ଗ ହେଲେ ମଧ୍ୟ ହାରି ନାହିଁ ତାଙ୍କ ମନୋବଳ। ଯୁବାବସ୍ଥାରେ ଗୋଡ଼ ହରାଇଥିଲେ ମଧ୍ୟ ପରିବାର ମୁହଁରେ ଆହାର ଯୋଗାଇବା ପାଇଁ ଅନେକ ପରିଶ୍ରମ କରୁଛନ୍ତି ସେ, ତାଙ୍କ କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ସହାୟ ହେଲା ଓଡ଼ିଶା ମୋ ପରିବାର । ସ୍ଵାବଲମ୍ବୀ ହେବାକୁ ଯୋଗାଇ ଦେଲା କୃତ୍ରିମ ଗୋଡ଼ ।

ଏ ହେଉଛି ଜଣେ ଗରିବ ଘରେ ଜନ୍ମିତ, ଛୋଟ ବେଳୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ୨୪ବର୍ଷିୟ ଯୁବକ ବାସୁଦେବ ଶବରଙ୍କ କାହାଣୀ । ଘର ଗଜପତି ଜିଲ୍ଲା ଅନନ୍ତପୁର ଗ୍ରାମରେ। ଛୋଟବେଳୁ ଅଭାବ ଅନଟନରେ ଦିନ କଟୁଥିଲା ବାସୁଦେବଙ୍କର, ବାପା ଓ ମା’ ଦୁହେଁ ମୂଲ ଲାଗି ଘର ଚଳାଉଥିଲେ। ସେଥିରେ ପୁଣି ଦଣ୍ଡେ ଖାଇ ଦଣ୍ଡେ ଉପାସ ରହୁଥିଲେ ।

ଏହି ପରିସ୍ଥିତିକୁ ସୁଧାରିବାକୁ ଚେଷ୍ଟା କଲା ବେଳକୁ ଭଗବାନ ବାସୁଦେବଙ୍କଠାରୁ ତାଙ୍କ ଗୋଡ଼ ଛଡେଇ ନେଲେ । ସେ ଅର୍ଥ ଉପାର୍ଜନ କରିବା ପାଇଁ ଦୁର ଦେଶକୁ ଯାଉଥିବା ସମୟରେ ଚଳନ୍ତା ଟ୍ରେନ୍ ରୁ ଖସି ପଡ଼ିଥିଲେ। ଯାହା ଫଳରେ ତାଙ୍କ ବାମ ଗୋଡ଼ କଟାଯାଇଥିଲା । ଗୋଟିଏ ଗୋଡ଼ରେ ନିଜ ଦୈନନ୍ଦିନ କାମ କରିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ଏପଟେ ଘରର ପରିସ୍ଥିତି ସମୟକ୍ରମେ ଜଟିଳ ହୋଇ ଚାଲିଥିଲା। ସବୁ ପରେ ବି, ନିଜେ କିଛି କାମ କରି ପରିବାର ଚଳାଇବାକୁ ଉଦ୍ୟମ ଜାରି ରଖିଥିଲେ । ଏହି ଘଟଣା ସମ୍ପର୍କରେ ଯୁବ ସମାଜସେବୀ(ବିଜୁ ଜନତା ଦଳ)ଅଶ୍ଵିନୀ ସେଠୀ ଜାଣିବା ପରେ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଙ୍କୁ ଖବର ଦେଇଥିଲେ ।

ଠିକ୍ ସେହିପରି, ଯାଜପୁର ଜିଲ୍ଲା ସୁଙ୍ଗୁଡ଼ା ଗ୍ରାମର ୫୦ବର୍ଷିୟ ବ୍ୟକ୍ତି ଗୋଲକ ଚନ୍ଦ୍ର ସାହାଣୀ ମଧ୍ୟ ୧୦ ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ନିଜ ବାମ ହାତ ହରାଇ ଥିଲେ । ବଡ଼ଚଣା ବିଧାୟକ ଶ୍ରୀ ଅମର ଶତପଥି ଘଟଣା ସମ୍ପର୍କରେ ଜାଣିବା ପରେ ସଙ୍ଗେସଙ୍ଗେ ଓଡ଼ିଶା-ମୋ ପରିବାରକୁ ଖବର ଦେଇଥିଲେ । ଉଭୟଙ୍କର କରୁଣ କାହାଣୀ ସମ୍ପର୍କରେ ଶ୍ରୀ ସାମନ୍ତରାୟ ସୂଚନା ପାଇବା ପରେ ତୁରନ୍ତ ପଦକ୍ଷେପ ନେଇଥିଲେ । କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଆଜି ଦୁହିଁକୁ କୃତ୍ରିମ ଗୋଡ଼ ଏବଂ ହାତ ଯୋଗାଇ ଦିଆଯାଇଛି । ଏହି ସମୟରେ ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ବଡ଼ଚଣା ବିଧାୟକ ଶ୍ରୀ ଅମର ଶତପଥି, ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଏବଂ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । କୃତ୍ରିମ ଅଙ୍ଗ ଲାଗିବା ପରେ ଉଭୟଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନଙ୍କ ମୁହଁରୁ ପଦେ “ଆମକୁ ସ୍ଵାବଲମ୍ବୀ ହୋଇ ବଞ୍ଚିବା ପାଇଁ କୃତ୍ରିମ ଅଙ୍ଗ ଯୋଗାଇ ଦେଇଥିବାରୁ ଆମେ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଉଛୁ” ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.