କେବେ ଆଦାୟ ହେବ ୭ ହଜାର ଶହେ ୨୫ କୋଟି ୨୪ ଲକ୍ଷ ଟଙ୍କାର ବକେୟା ଶୁଳ୍କ ?

ଭୁବନେଶ୍ବର (କେନ୍ଯୁଜ୍) : ଖୋଲା ବଜାରରୁ ଋଣ କରୁଛନ୍ତି ରାଜ୍ୟ ସରକାର । ହେଲେ ବିଭିନ୍ନ ଶିଳ୍ପସଂସ୍ଥା ଉପରେ ପଡ଼ିଛି ୭ହଜାର ଶହେ ୨୫ କୋଟି ଟଙ୍କାର ଟିକସ। ସେଭିତରୁ ୨୬ଟି ଶିଳ୍ପସଂସ୍ଥା ଉପରେ ୧୮ ଶହ ୭୪ କୋଟିରୁ ଅଧିକ ଟଙ୍କାର କେବଳ ବିଜୁଳି ଶୁଳ୍କ ଗଡୁଛି । ଇମ୍ଫା ଉପରେ ୮ଶହ କୋଟି ଟଙ୍କାର ବକେୟା ବିଜୁଳି ଶୁଳ୍କକୁ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ।
ବାରିପଦା ପରେ ଅନୁଗୁଳ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇମ୍ଫା କଂପାନୀ ଉପରେ ବିଜୁଳି ବିଲ ବକେୟାକୁ ନେଇ ଏ ହେଉଛି ସ୍ଥାନୀୟ ଯୁବକଙ୍କ ପ୍ରଶ୍ନ । କେବେ ୮ ଶହ କୋଟି ଟଙ୍କାର ବକେୟା ବିଜୁଳି ବିଲ୍ ଦାଖଲ କରିବେ ସେନେଇ ପଚାରୁଛନ୍ତି ପ୍ରଶ୍ନ । ହେଲେ ବୈଜୟନ୍ତ ଟ୍ଵିଟ କରି କହିଛନ୍ତି, ଅଭିଯୋଗ ଭିତ୍ତିହୀନ । ଇମ୍ଫା ଉପରେ ବିଜୁଳି ଶୁଳ୍କ ବାବଦରେ କିଛି ବକେୟା ନାହିଁ । ତେବେ ସତ କ’ଣ ? କେତୋଟି ସଂସ୍ଥା ଉପରେ ରହିଛି କେତେ ଟଙ୍କାର ଶୁଳ୍କ ବାକି ?
ଇଏ ହେଉଛି ୨୦୧୬ ମସିହା ମେ ୨ରେ ବିଧାନସଭାରେ ବିଧାୟକ ସଞ୍ଜୀବ ସାହୁଙ୍କ ପ୍ରଶ୍ନରେ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଉତ୍ତରର ନକଲ । ଯେଉଁଥିରେ ରାଜ୍ୟର ବିଭିନ୍ନ ଶିଳ୍ପସଂସ୍ଥାଙ୍କଠାରୁ ୭ ହଜାର ଶହେ ୨୫ କୋଟି ୨୪ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୋଇପାରୁନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ସେଭିତରୁ ୨୬ଟି ସଂସ୍ଥା ଉପରେ ୧୮ଶହ ୭୪ କୋଟି ଟଙ୍କା ବିଦ୍ୟୁତ ଶୁଳ୍କ ବକେୟା ପଡ଼ିଛି । ତାଲିକାର ସର୍ବାଗ୍ରେ ରହିଛି ଇମ୍ଫା । ଚୌଦ୍ୱାର ସ୍ଥିତ ଇମ୍ଫା ଉପରେ ୮ ଶହ ୭୨ କୋଟି ୧୪ ଲକ୍ଷ ଟଙ୍କାର ବିଜୁଳି ଶୁଳ୍କ ବାକି । ସେହିପରି ନାଲକୋ ୩ଶହ ୫୪ କୋଟି ୯୦ ଲକ୍ଷ ଟଙ୍କା ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ୩୧୪ କୋଟି ଟଙ୍କା ବିଜୁଳି ଶୁଳ୍କ ବକେୟା ରଖିଛି। ଝାରସୁଗୁଡ଼ାର ଏସଏମସି ପାୱାର ଜେନେରେସନ ଲିମିଟେଡ ୪୧ କୋଟି ୫୬ ଲକ୍ଷ ଟଙ୍କା, ଢେଙ୍କାନାଳର ମେରାମୁଣ୍ଡଳି ସ୍ଥିତ ଭୂଷଣ ଷ୍ଟିଲ ୩୦ କୋଟି ୭୮ ଲକ୍ଷ ଟଙ୍କା ବିଦ୍ୟୁତ ଶୁଳ୍କ ପଇଠ କରିନାହିଁ ।
କେବଳ ଯେ ବିଜୁଳି ଶୁଳ୍କ ତାହା ନୁହେଁ ଜଳ ସଂପଦ ବିଭାଗରୁ ଉପଲବ୍ଧ ତଥ୍ୟ ଅନୁସାରେ ୧୩ଟି ସଂସ୍ଥା ଉପରେ ଗଡୁଛି ୧୨ଶହ ୮୧କୋଟି ଟଙ୍କର ଜଳକର । ବକେୟା ଜଳ କର ତାଲିକାରେ ସବୁଠୁ ଆଗରେ ନାଲକୋ । ଏହା ଉପରେ ଜଳ କର ବାବଦରେ ପଡ଼ିଛି ୪ଶହ ୩୯ କୋଟି ଟଙ୍କା। ସେହିପରି SEVA ୨ଶହ ୯୧ କୋଟି ୮୨ ଲକ୍ଷ ଟଙ୍କା ଓ ବଲ୍ଲାରପୁର ଇଣ୍ଡଷ୍ଟ୍ରିଜ ୧୫୮ କୋଟି ୬୭ ଲକ୍ଷ ଟଙ୍କାର ଜଳ କର ବାକି ରଖିଛି । ଅଦାଲତଙ୍କ ରହିତାଦେଶ ଯୋଗୁଁ ଏସବୁ ଶିଳ୍ପସଂସ୍ଥାଠାରୁ ବକେୟା ରାଜସ୍ୱ ଆଦାୟ ହୋଇପାରୁନାହିଁ ବୋଲି ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ଉତ୍ତର ରଖିଥିଲେ । ତେଣୁ ବିଭିନ୍ନ ଶିଳ୍ପ ସଂସ୍ଥ ଉପରେ ବିଜୁଳି, ଜଳକର ଆଦି ବାକି ପଡ଼ିଥିବା ଅଭିଯୋଗ ଭିତ୍ତିହୀନ ନୁହେଁ ସଂପୂର୍ଣ୍ଣ ସତ୍ୟ । ଏହା ସରକାରୀ ତଥ୍ୟ ସ୍ପଷ୍ଟ କରୁଛି ।
ବକେୟା ରାଜସ୍ୱ ତଦାରଖ ଓ ଆଦାୟ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଫୋକସଡ ଏରିଅର ରିକଭରି ମନିଟରିଂ ସିଷ୍ଟମ ବା FARMS ଗଠନ କରାଯାଇଛି । ଏହି ୱେବ ବେସଡ ମଡ୍ୟୁଲରେ ପ୍ରତି ସ୍ତରରେ ବକେୟା ରାଜସ୍ୱର ତଦାରଖ ପାଇଁ ରହିଛି ଡାସବୋର୍ଡ ମନିଟରିଂ ବ୍ୟବସ୍ଥା । ଏବେ ପ୍ରଶ୍ନ ଉଠୁଛି ବିଭିନ୍ନ ଶିଳ୍ପସଂସ୍ଥା ଠାରୁ କେବେ ଆଦାୟ ହେବ ୭ ହଜାର ଶହେ ୨୫ କୋଟି ୨୪ ଲକ୍ଷ ଟଙ୍କାର ବକେୟା ଶୁଳ୍କ । କେବେ ଘଟିବ ଆଇନଗତ ଲଢ଼େଇର ପରିସମାପ୍ତି । ବକେୟା ରାଜସ୍ୱ ଆଦାୟ ପାଇଁ ଆଗକୁ ରାଜ୍ୟ ସରକାର ଆଉ କେଉଁ କେଉଁ ପଦକ୍ଷେପ ନେଉଛନ୍ତି ତା’ ଉପରେ ରହିଛି ନଜର ।