ଭାଙ୍ଗିଲା ପ୍ରଦେଶ କଂଗ୍ରେସ କମିଟି, AICC ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ

ଭୁବନେଶ୍ୱର : ଭାଙ୍ଗିଲା ପ୍ରଦେଶ କଂଗ୍ରେସ କମିଟି । AICC ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ । ସଭାପତିଙ୍କ ସହ ପିସିସିର ସମସ୍ତ କାର୍ଯ୍ୟକାରୀ କମିଟି, ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି, ଛାମୁଆ ସଂଗଠନକୁ ଭଙ୍ଗ କରାଯାଇଛି । ସୁପାରିଶ ଆଧାରରେ ପିସିସିକୁ ଭଙ୍ଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ନୂଆ ଜିଲ୍ଲା ସଭାପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ବର୍ତ୍ତମାନର ଜିଲ୍ଲା ସଭାପତିମାନେ କାମଚଳା ସଭାପତି ଭାବେ କାର୍ଯ୍ୟ କରିବେ । ପିସିସି ଭଙ୍ଗ ସହ କଂଗ୍ରେସ ବିଧାୟକ ଦଳ ନେତା ଚୟନ ହୋଇଛି ।
ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା । ବିଧାୟକ ଦଳ ଉପନେତା ହୋଇଛନ୍ତି ବାସୁଦେବପୁର ବିଧାୟକ ଅଶୋକ ଦାସ । ଦଳର ମୁଖ୍ୟ ସଚେତକ ହୋଇଛନ୍ତି ରାଜଗାଙ୍ଗପୁର ବିଧାୟକ ସି ଏସ ରାଜ୍ଜନ ଏକ୍କା । ୨୦୨୪ ନିର୍ବାଚନରେ କଂଗ୍ରେସ ୧୪ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ଜିତିଥିଲା । ୨୦୧୯ ନିର୍ବାଚନଠାରୁ କଂଗ୍ରେସ ଅଧିକ ବିଧାନସଭା ଆସନ ଜିତିଥିଲେ ମଧ୍ୟ ଭୋଟହାର କମିଥିଲା । ଏହାସହ ନିର୍ବାଚନ ସରିବାର ଦେଢ଼ ମାସ ସମୟ ବିତିଯାଇଥିଲେ ମଧ୍ୟ ଦଳ ବିଧାୟକ ଦଳ ନେତା ଚୟନ କରି ନଥିଲା । ଆଜି ବିଧାୟକ ଦଳ ନେତା ଚୟନ ହେବା ସହ ପିସିସିକୁ ଭଙ୍ଗ କରି ଦିଆଯାଇଛି ।