ରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବରେ ବାଜିଲା ମୋହର, ନିଯୁକ୍ତି ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବରେ ବାଜିଲା ମୋହର। ନିଯୁକ୍ତି ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣିକି ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଦୋଷୀଙ୍କୁ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ହେବ । ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ୧ କୋଟି ଟଙ୍କା ଜରିମାନା ହେବ । ଏହି ନିୟମ OPSC, OSSC, OSSSC ଆଦି ପରୀକ୍ଷା ପାଇଁ ଲାଗୁ ହେବ ବୋଲି କ୍ୟାବିନେଟ ବୈଠକ ପରେ କହିଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ହଜାର ହଜାର ପଦବି ଖାଲି ପଡ଼ିଛି । ଏହି ପଦବିଗୁଡ଼ିକ ପୂରା କରିବା ପାଇଁ ସରକାର ପର୍ଯ୍ୟାୟ କ୍ରମେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । ସରକାରୀ ଚାକିରି ପାଇବା ପାଇଁ ଲକ୍ଷଲକ୍ଷ ପ୍ରାର୍ଥୀ ମଧ୍ୟ ଅପେକ୍ଷା କରିଛନ୍ତି । ଚାକିରି ଆଶାୟୀମାନେ ଅଭିଯୋଗ କରନ୍ତି ଯେ, ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ହେଉଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ମିଳୁ ନାହିଁ । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଚାକିରି ଆଶାୟୀଙ୍କ ମଧ୍ୟରେ ଖୁସି ଆଣିଛି ।