ଓଡ଼ିଶାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚଳିତ ବର୍ଷ ପଦ୍ମ ପୁରସ୍କାର ମୋଟ ୧୦୬ ଜଣଙ୍କୁ ଦିଆଯାଉଛି । ସେଥିମଧ୍ୟରେ ୬ ଜଣ ପଦ୍ମ ବିଭୂଷଣ, ୯ ଜଣ ପଦ୍ମ ଭୂଷଣ, ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ଲାଭ କରିବେ ।

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଆଜି ସରିଛି ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ୨୦୨୩ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ଅନ୍ୟମାନଙ୍କ ସମେତ ଓଡ଼ିଶାର ବିଶିଷ୍ଟ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣ କୁଅଁରଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି ।

ଚଳିତ ବର୍ଷ ପଦ୍ମ ପୁରସ୍କାର ମୋଟ ୧୦୬ ଜଣଙ୍କୁ ଦିଆଯାଉଛି । ସେଥିମଧ୍ୟରେ ୬ ଜଣ ପଦ୍ମ ବିଭୂଷଣ, ୯ ଜଣ ପଦ୍ମ ଭୂଷଣ, ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ଲାଭ କରିବେ । ଏମାନଙ୍କ ମଧ୍ୟରୁ ୯ ଜଣ ମହିଳାଙ୍କୁ ପୁରସ୍କାର ମିଳିଥିବା ବେଳେ ୭ ଜଣଙ୍କୁ ମରଣୋତ୍ତର ସମ୍ମାନ ଦିଆଯାଉଛି । ଗତ ଜାନୁଆରୀ ୨୬ ତରିଖ ଦିନ ପଦ୍ମ ପୁରସ୍କାର ନିମନ୍ତେ ମନୋନୀତ ବ୍ୟକ୍ତିଙ୍କ ନାମ ତାଲିକା ଘୋଷଣା କରାଯାଇଥିଲା ।

ଆଜି କୁମାର ମଙ୍ଗଳମ୍‌ ବିର୍ଲା, କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁର ପ୍ରମୁଖ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିବା ବେଳେ କ୍ରିକେଟ୍‌ କୋଚ୍‌, ଗୁରୁଚରଣ ସିଂହ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି ।

ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଏପ୍ରିଲ ୫ ତାରିଖ ଦିନ ଅନୁଷ୍ଠିତ ହେବ । ଏହି ଦିନ ବାକି ବ୍ୟକ୍ତିତ୍ୱମାନେ ସମ୍ମାନିତ ହେବ । ଏଥିରେ ଅଛନ୍ତି ଓଡ଼ିଶାରୁ ସାହିତ୍ୟିକ ତଥା ଶିକ୍ଷାବିତ ଅନ୍ତର୍ଯ୍ୟାମୀ ମିଶ୍ର, କଣ୍ଠଶିଳ୍ପୀ କୃଷ୍ଣା ପଟେଲ ଏବଂ କୃଷିକ୍ଷେତ୍ର ପାଇଁ ପଟାୟତ ସାହୁ ।

କିଏ ଏହି ମାଗୁଣି ଚରଣ ଜାଣନ୍ତୁ

କେନ୍ଦୁଝର ସହର ବୈଦରାଜ ସାହି ନିବାସୀ ମାଗୁଣି ଚରଣ କୁଅଁରଙ୍କ ଜନ୍ମ ୧୯୩୭ ମସିହା ଫେବୃଆରୀ ୧୨ ତାରିଖରେ । ସେ କାଠ କଣ୍ଢେଇ ନାଚରେ ବେଶ୍‌ ପ୍ରସିଦ୍ଧି ଲାଭ କରିଛନ୍ତି । ରାଜ୍ୟରେ ଏହି ନାଚକୁ ସେ ବଞ୍ଚାଇ ରଖିଛନ୍ତି । ୧୬ ବର୍ଷ ବୟସରେ ସେ କାଠ କଣ୍ଢେଇ ନାଚ ଆରମ୍ଭ କରିଥିଲେ । ଏବେ ୮୫ ବର୍ଷ ବୟସରେ ତାଙ୍କୁ ମିଳିଛି ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ । ୧୯୫୫ରେ ମାଗୁଣି ଚରଣ କିଛି ସହଯୋଗୀଙ୍କୁ ଧରି ବିଶ୍ୱକର୍ମା କଳାକୁଞ୍ଜ ନାମକ ଏକ ସଂସ୍ଥା ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରେ କାଠି କଣ୍ଢେଇ ନାଚ ଚଳାଇଥିଲେ । ନିଜେ କଣ୍ଢେଇ ତିଆରି କରିବା ସହିତ ନାଟକର ଡାଇଲଗ ଓ ଗୀତ ଲେଖନ୍ତି ପୁଣି ସଂଗୀତ ନିର୍ଦ୍ଦେଶନା ବି ଦିଅନ୍ତି । ତାଙ୍କର ବିଶେଷତ୍ୱ ହେଉଛି ସେ ପୁରୁଷ, ମହିଳା ଏମିତିକି ବିଭିନ୍ନ ପଶୁପକ୍ଷୀଙ୍କ ସ୍ୱର ଦେଇ ସେ କଣ୍ଢେଇ ନାଚଗୁଡ଼ିକୁ ଜୀବନ୍ତ କରି ତୋଳନ୍ତି । କଳା କ୍ଷେତ୍ରରେ ତାଙ୍କର ନିରବଚ୍ଛିନ୍ନ ଅବଦାନ ପାଇଁ ତାଙ୍କୁ ଆଜି ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.