ଇଜ୍ ଅଫ୍ ଡୁଇଂ ବିଜିନେସ୍ ର‍୍ୟାଙ୍କିଙ୍ଗରେ କାହିଁକ ଖସିଲା ଓଡ଼ିଶା ?

ଭୁବନେଶ୍ବର :  ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ର‍୍ୟାଙ୍କରେ ଓଡ଼ିଶା ଏଥର ତିନିଟି ସ୍ଥାନ ତଳକୁ ଖସି ୧୪ରେ ଅଛି । ୨୦୧୬ରେ ୧୧ତମ ସ୍ଥାନରେ ଥିଲା । ସେହିପରି ୨୦୧୫ରେ ଓଡ଼ିଶାର ସ୍ଥାନ ଥିଲା ସପ୍ତମ । ତେବେ ୨୦୧୭ ମସିହା ପାଇଁ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ର‍୍ୟାଙ୍କରେ ଓଡ଼ିଶାର ଓଭର୍‌ଅଲ୍‌ ସ୍କୋର୍‌ ରହିଛି ୯୨. ୦୯ ପ୍ରତିଶତ ଅଛି । ଓଡ଼ିଶାର ରିଫର୍ମ ଏଭିଡେନ୍‌ସ ସ୍କୋର୍‌ ହେଉଛି ୯୭.୮୩ ପ୍ରତିଶତ । ତେବେ ଫିଡ୍‌ବ୍ୟାକ୍‌ ସ୍କୋର ୩୯. ୨୦ ପ୍ରତିଶତ ଅଛି । ଏନେଇ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, ଶିଳ୍ପ ସଂସ୍ଥାଗୁଡ଼ିକ ଭଲ ଫିଡ୍‌ବ୍ୟାକ୍‌ ଦେଇନାହାନ୍ତି । ଏଥିସହ ତାଲିକାରେ କାହିଁକି ଅବନତି ଘଟିଲା ତା’ର ତର୍ଜମା କରାଯିବ ।

ଶିଳ୍ପ ସଂସ୍ଥାଗୁଡ଼ିକ ରାଜ୍ୟକୁ ଫିଡ୍‌ବ୍ୟାକ୍‌ ସ୍କୋର କାହିଁକି କମ ଦେଲେ? କ’ଣ ହୋଇପାରେ କାରଣ। ଏହାକୁ ନେଇ ଆରମ୍ଭ ହେଲାଣି ତର୍ଜମା । ଓଡ଼ିଶାରେ ବହୁ ଖଣିଭିତ୍ତିକ ଶିଳ୍ପସଂସ୍ଥା ରହିଛି । କିଛିମାସ ତଳେ ପରିବେଶ ଓ ଜଙ୍ଗଲ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ଖଣି ଖନନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ବିଭିନ୍ନ ଶିଳ୍ପସଂସ୍ଥାଠାରୁ ୧୨ ହଜାର କୋଟି ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ବେଆଇନ ଖଣି ଖନନ ତାଲିକାରେ ଥିଲେ ଟାଟା, ଜେଏସ୍‌ପିଏଲ୍‌ ଓ ମେସ୍‌କୋ ପରି ବଡ଼ବଡ଼ କଂପାନୀ । ତେଣୁ ଏହାର ପ୍ରଭାବ ଫିଡ୍‌ବ୍ୟାକ୍‌ ଉପରେ ପଡ଼ିଥାଇପାରେ ବୋଲି କୁହାଯାଉଛି । ସେହିପରି ମେକ୍‌ ଇନ୍‌ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ଆୟୋଜନରୁ ସିଆଇଆଇ ଓହରି ଯିବାରୁ ବିବାଦ ସୃଷ୍ଟି ହୋଇଛି । ବହୁ ଶିଳ୍ପସଂସ୍ଥା ସିଆଇଆଇରେ ଅଛନ୍ତି । ଏହାମଧ୍ୟ ଫିଡ୍‌ବ୍ୟାକ୍‌ ମାର୍କ କମ୍‌ ଦେବାର ଏକ କାରଣ ହୋଇପାରେ । ତେବେ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ର‍୍ୟାଙ୍କରେ ଓଡ଼ିଶା ୧୪ତମ ସ୍ଥାନକୁ ଖସିବା ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି ।

ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ର‍୍ୟାଙ୍କ୍‌ର ୧ ନମ୍ବର ସ୍ଥାନରେ ଅଛି ଆନ୍ଧ୍ର ପ୍ରଦେଶ । ଦ୍ୱିତୀୟରେ ତେଲେଙ୍ଗାନା ଥିବାବେଳେ ତୃତୀୟ ସ୍ଥାନରେ ହରିଆଣା ରହିଛି । ସେହିପରି ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡ଼ ଷଷ୍ଠ, ମଧ୍ୟପ୍ରଦେଶ ସପ୍ତମ ଓ ରାଜସ୍ଥାନ ନବମ ସ୍ଥାନରେ ଅଛି । ବିଶ୍ୱ ବ୍ୟାଙ୍କ ଏବଂ ଡିପାର୍ଟମେଣ୍ଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ ପ୍ରମୋସନ ପକ୍ଷରୁ ପ୍ରତିବର୍ଷ ଇଜ୍‌ ଅଫ ଡୁଇଂ ବିଜିନେସ  ର‍୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଥାଏ । ପୁଞ୍ଜି ନିବେଶ ଏବଂ ଅନୁକୂଳ ବ୍ୟାବସାୟିକ ବାତାବରଣ ସୃଷ୍ଟି କ୍ଷେତ୍ରରେ ଏହି ର‍୍ୟାଙ୍କ ନିର୍ଦ୍ଧାରକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.