ମାଘରେ ଟାଇଁ ଟାଇଁ ଖରା ସହ ଅସ୍ୱାଭାବିକ ଗରମ, ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ବର : କଲବଲ କଲାଣି ତାତି । ରାଜ୍ୟରେ ଧୀରେ ଧୀରେ ବଢୁଛି ପାରଦ । ଟାଇଁ ଟାଇଁ ଖରା ସହ ଅସ୍ୱାଭାବିକ ଗରମ ଅନୁଭୂତ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ ।
ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢିବ । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ବଲାଙ୍ଗିର, ସୋନପୁର, ନୂଆପଡା ଭଳି ଜିଲ୍ଲାରେ ମେଘମୁକ୍ତ ଆକାଶ ରହିବା ସହ ଦିନ ତାପମାତ୍ରା ୩୦ ରୁ ୩୪ ଡିଗ୍ରୀ ସେଲସିୟସ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ।
ସେହିଭଳି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢ଼ିବ । ଚଳିତବର୍ଷ ରାଜ୍ୟରେ ପ୍ରଥମଥର ପାଇଁ ୩୫ ଡିଗ୍ରୀ ସେଲସିୟ ଅତିକ୍ରମ କଲା ପାରଦ । ଝାରସୁଗୁଡ଼ାରେ ଗତକାଲି ସର୍ବୋଚ୍ଚ ଦିନ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ଯାଏ ଘନ କୁହୁଡ଼ି ପାଇଁ ୧୬ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।