ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମହାସମାବେଶ, ଦାବି ବିଚାର ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ସୋମବାର ରାଜଧାନୀର ରାଜରାସ୍ତାରେ ମହାସମାବେଶ ଦେଖିବାକୁ ମିଳିଥିଲା । ସମଗ୍ର ରାଜ୍ୟରୁ ପାଖାପାଖି ପଚାଶ ହଜାରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଗାନ୍ଧିମାର୍ଗରେ ଆୟୋଜିତ ମହାସମାବେଶରେ ଯୋଗଦେଇଥିଲେ ।
ଯୋଗ୍ୟ ବିବେଚିତ ସ୍କୁଲ କଲେଜକୁ ପଚିଶ ବର୍ଷ ହେଲା ଅନୁଦାନ ମିଳି ନଥିବାରୁ ଅନୁଦାନ ପ୍ରଦାନ, ଅବସର ପରେ ବଞ୍ଚିବା ପାଇଁ ପେନସନ୍ ବ୍ୟବସ୍ଥା, ୩୦ ବର୍ଷ ହେଲା କୌଣସି ବିଦ୍ୟାଳୟ ସରକାରୀକରଣ ହୋଇନଥିବାରୁ ସବୁ ବିଦ୍ୟାଳୟକୁ ସରକାରୀକରଣ ଘୋଷଣା, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା, ଗ୍ରେଡ଼ ପେ ରେ ଥିବା ଅସଙ୍ଗତି ଦୂର କରିବା, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା, ନୂତନ ପେନସନ୍ ପ୍ରତ୍ୟାହାର କରି ପୁରୁଣା ପେନସନ୍ ଯୋଜନା ଲାଗୁ କରିବା, ଖାଲି ପଡି଼ଥିବା ଶିକ୍ଷକ ପଦବୀ ପୂରଣ କରିବା,ବାଛବିଚାର ନରଖି ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ଇତ୍ୟାଦି ଦାବିରେ ଶିକ୍ଷକମାନେ ଆନ୍ଦୋଳନକୁ ଓଲ୍ହାଇଥିଲେ ।
ଦୀର୍ଘ ୨୫ରୁ ୩୦ ବର୍ଷ ବିନା ପାରିଶ୍ରମିକରେ ଚାକିରି କରି ଶିକ୍ଷକ ଓ ଶିକ୍ଷାକର୍ମଚାରୀଟିଏ ସରକାରୀ ଅନୁଦାନରୁ ବଞ୍ଚିତ ହେବା ଏବଂ ଅବସର ନେବା ପରଦିନଠାରୁ ପରିଣତ ବୟସରେ ବିନା ପେନସନ୍ରେ ବଞ୍ଚିବାର ରାହା ଖୋଜିବା ପାଇଁ ମୂଲ ଲାଗିବା ଆଦି ପନ୍ଥାକୁ ଆପଣେଇ ଜୀବନ ବଞ୍ଚିବାର ପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହାକ ରଞ୍ଜନ କୁମାର ଦାଶ କହିଥିଲେ । ତେଣୁ ସରକାର ତୁରନ୍ତ ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ଓ ସେବା ନିବୃତ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ଚାକିରି ସର୍ତ୍ତାବଳୀ ସହିତ ପେନ୍ସନ୍ ପ୍ରଦାନ କରିବାକୁ ସେ ଦାବି କରିଥିଲେ ।
ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍ଷ୍ଟା), ସଂସ୍କୃତ ଟୋଲ୍ ଶିକ୍ଷକ ସଂଘ, ମଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ମିଳିତ ନେତୃତ୍ୱମାନେ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଟାଳଟୁଳ ନୀତି ଅବଲମ୍ବନ ନକରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିଥିଲେ । ରାଜ୍ୟରେ ଗଢ଼ି ଉଠିଥିବା ପୂର୍ଣ୍ଣ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ସରକାର ଦରମା ଓ ଅନ୍ୟାନ୍ୟ ଭତ୍ତା ଦେଉଥିଲେ ମଧ୍ୟ ଏହାକୁ ସରକାରୀ ବିଦ୍ୟାଳୟରେ ପରିଣତ ନକରିବା ଫଳରେ ଖାଲି ପଡ଼ୁଥିବା ସ୍ଥାନରେ ନୂତନ ନିଯୁକ୍ତି ହୋଇପାରୁ ନାହିଁ । ଉକ୍ତ ଅନୁଷ୍ଠାନ ଗୁଡ଼ିକ ଶିକ୍ଷକ ଅଭାବରୁ ବନ୍ଦ ହୋଇ ଚାଲିଛି ।
ସରକାରଙ୍କ ତରଫରୁ ଏକାମ୍ର ବିଧାୟକ ବାବୁ ସିଂ ଓ ପିପିଲି ବିଧାୟକ ଆଶ୍ରିତ୍ ପଟ୍ଟନାୟକ ଆଜିର ସଭାସ୍ଥଳରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ସ୍ମାରକ ପତ୍ରକୁ ଗ୍ରହଣ କରିବା ସହିତ ଶିକ୍ଷକମାନଙ୍କର ସମସ୍ୟା ସମ୍ପର୍କରେ ସରକାରଙ୍କର ଦୃଷ୍ଟିଭଙ୍ଗୀ ରଖିଥିଲେ । ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ସହିତ ଶିକ୍ଷକମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିବା କଥା ଏବଂ ଆଗାମୀ ଦିନରେ ଆଲୋଚନା କରିବା ପାଇଁ କଥା ଦେଇଥିଲେ । ସରକାର ତୁରନ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଇଥିବା ବା ଅବସର ଅପେକ୍ଷାରେ ଥିବା ଶିକ୍ଷକ, ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହିତ ପେନ୍ସନ୍ ଯୋଗାଇ ଦେବା ସମ୍ପର୍କରେ ସରକାରଙ୍କ ବିଚାରଧିନ ଥିବା କଥା ପ୍ରକାଶ କରିଥିଲେ । ଦୁଇ ବିଧାୟକଙ୍କର ଅନୁରୋଧ କ୍ରମେ ସମାବେଶକୁ ସ୍ଥଗିତ ରଖାଯାଇଥିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର , ବିକମ୍ର କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍.ଏ.କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସଭାରେ ଉଦ୍ବୋଧନ ଦେଇଥିଲେ ।