ପଛୁଆ ବର୍ଗ ପାଇଁ ରାଜ୍ୟ ସରକାର ଗଠନ କଲେ ଓବିସି କମିଶନ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ହେଲେ କମିଶନର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ ପଛୁଆ ଶ୍ରେଣୀ ବା ଓବିସିଙ୍କ ପାଇଁ କମିଶନ ଗଠନ କଲେ ରାଜ୍ୟ ସରକାର । ଓବିସି କମିଶନ ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଓବିସି କମିଶନର ଭାବରେ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ସେହିପରି ଏହି କମିଶନରେ ରହିବେ ତିନି ଜଣ ସଦସ୍ୟ ଓ ଜଣେ ସଚିବ ସଦସ୍ୟ । ତିନି ସଦସ୍ୟ ହେଲେ ଡକ୍ଚର ନଭନୀତା ରଥ, ଡକ୍ଟର ମିତାଲି ଚିନ୍ନାରା ଓ ଡକ୍ଟର ପ୍ରସନ୍ନ କୁମାର ପାତ୍ର । ସେହିପରି ଆଇଏଏସ ଅଫିସର ବୀର୍‌ ବିକ୍ରମ ଯାଦବ ଓବିସି କମିଶନଙ୍କ ସଚିବ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଓଡ଼ିଶା ଷ୍ଟେଟ୍‌ କମିଶନ ଫର୍‌ ବ୍ୟାକଓ୍ଵାର୍ଡ କ୍ଲାସେସ୍‌ ଆକ୍ଟ-୧୯୯୩ ଅନୁସାରେ ଓବିସି କମିଶନ ଗଠନ କରିଛନ୍ତି ସରକାର । ସାମାଜିକ ଓ ଅର୍ଥନୈତିକ ପଛୁଆ ଶ୍ରେଣୀ ଓ ଜାତିଙ୍କ ସମସ୍ୟା ଓ ଉନ୍ନତି ଦିଗରେ ଏହି କମିଶନ କାମ କରିବ । ପୂର୍ବରୁ ୨୦୨୧ ଜନଗଣନାରେ ସାଧାରଣବର୍ଗଙ୍କ ସହ ସାମାଜିକ ଓ ଅର୍ଥନୈତିକ ପଛୁଆ ଶ୍ରେଣୀ ଓ ଜାତିଙ୍କ ପାଇଁ ସ୍ୱତନ୍ତ୍ର ଗଣନା କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛି ଓଡ଼ିଶା । ଏସମ୍ପର୍କିତ ସଂକଳ୍ପ ରାଜ୍ୟ କ୍ୟାବିନେଟରେ ବି ପାରିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.