ରାଜ୍ୟରେ ଉପରମୁହାଁ ତାତି, ୩୦ ବେଳକୁ ୪୨ ଡିଗ୍ରି ଡେଇଁବ

ଭୁବନେଶ୍ୱର : କାଳବୈଶାଖୀ ପରେ ପୁଣି ବଢ଼ିଲା ତାତି । ପାରଦ ଉପରମୁହାଁ । ବିଭିନ୍ନ ସ୍ଥାନରେ ୨ ରୁ ୪ ଡିଗ୍ରୀ ବଢ଼ିଛି ତାପମାତ୍ରା । ୨ ଦିନ ପର୍ଯ୍ୟନ୍ତ ପାଗରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ୨୯ରୁ ପୁଣି କଲବଲ କରିବ ତାତି । ଗ୍ରୀଷ୍ମ ପ୍ରବାହ ପାଇଁ ୨୯ ତାରିଖରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୯ରେ ସୋନପୁର, ବଲାଙ୍ଗିର, ବୌଦ୍ଧ କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା ନାହିଁ । ୨୮ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା ଓ ବଲାଙ୍ଗୀର ତାପମାତ୍ରା ୪୦ ଡିଗ୍ରି ଛୁଇଁବ । କ୍ରମଶଃ ଏହା ବୃଦ୍ଧି ପାଇ ୩୦ ତାରିଖ ବେଳକୁ ବୌଦ୍ଧ, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ସୋନପୁର ତାପମାତ୍ରା ୪୨ ଡିଗ୍ରି ଟପିଯିବ ।
ସେହିପରି ଗତକାଲି ବୌଦ୍ଧ ସମେତ ଝାରସୁଗୁଡ଼ା, ସମ୍ବଲପୁର ଓ ହୀରାକୁଦର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାଖରେ ପହଞ୍ଚିଛି । ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୯.୫, ସମ୍ବଲପୁରରେ ୩୯.୨, ହୀରାକୁଦରେ ୩୯, ପାରଳାଖେମୁଣ୍ଡିରେ ୩୮.୮, ଢେଙ୍କାନାଳ ଓ ସୋନପୁରରେ ୩୮.୩, ମାଲକାନଗିରିରେ ୩୮.୧, ବରଗଡ଼ ଓ ଭବାନୀପାଟଣାରେ ୩୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି ।
ଆହୁରି ପଢ଼ନ୍ତୁ : କାଳବୈଶାଖୀ ପରେ ରାଜ୍ୟରେ ପୁଣି ବଢ଼ିଲା ତାତି, ୨୯ ଓ ୩୦ରେ କିଛି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ