ବାଘ ବଂଶ ବୃଦ୍ଧି ପାଇଁ ବନବିଭାଗର ଯୋଜନା, ମହାରାଷ୍ଟ୍ରରୁ ଶିମିଳିପାଳ ଆସିବ ଦ୍ବିତୀୟ ବାଘୁଣୀ
ଶିମିଳିପାଳ : ମହାରାଷ୍ଟ୍ରରୁ ଶିମିଳିପାଳ ଆସିବ ଦ୍ବିତୀୟ ବାଘୁଣୀ । ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯିବ ବାଘୁଣୀ । ବାଘ ବଂଶ ବୃଦ୍ଧି ପାଇଁ ବନବିଭାଗ ପକ୍ଷରୁ କରାଯାଇଥିବା ଯୋଜନା ମୁତାବକ ମହାରାଷ୍ଟ୍ରରୁ ବାଘୁଣୀକୁ ଆଣିବା ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ବତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଅଭିମୁଖେ ଗସ୍ତ କରିଥିବା ନେଇ ସୂଚନା ମିଳିଛି । ACF ପ୍ରଦୀପ ଦେଙ୍କ ନେତୃତ୍ବରେ ଏହି ଟିମରେ ପ୍ରାଣୀ ଚିକିତ୍ସକ ଡାକ୍ତର ଅଭିଳାଷ ଆଚାର୍ଯ୍ୟ, ଡେପୁଟି ରେଞ୍ଜର ଦିପ୍ତିମାନ ପଣ୍ଡାଙ୍କ ସମେତ ସ୍ବତନ୍ତ୍ର ରେସକ୍ୟୁ ସ୍କ୍ବାର୍ଡ ଓ ଡ୍ରାଇଭର ମିଶି ୧୦ ଜଣ ଅଛନ୍ତି ।
ଅକ୍ଟୋବର ୨୮ ତାରିଖରେ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଆସିଥିଲାପ୍ରଥମ ଅଢେଇ ବର୍ଷର ବାଘୁଣୀ ଯମୁନା । ପ୍ରାୟ ଗୋଟିଏ ହେକ୍ଟର ପରିମିତ ଜଙ୍ଗଲର ପରିବେଶରେ ଯମୁନାକୁ ଛଡାଯାଇ ତାର ଗତିବିଧି ଉପରେ ନଜର ରଖାଯାଇଛି । ନିୟମିତ ଭାବେ ତାର ସ୍ବାସ୍ଥ୍ୟ ଯାଞ୍ଚ ସହିତ ଏନକ୍ଲୋଜର ଭିତରକୁ ତାର ଖାଦ୍ୟ ପାଇଁ ଜୀବନ୍ତ ଜନ୍ତୁ ଛଡାଯାଉଛି ।
ଗତ ୩୦ ତାରିଖରେ ଯମୁନା ପ୍ରଥମେ ଏକ ବାରହା ଶୀକାର କରି ଖାଇଥିଲା । ବାଘମାନଙ୍କ ବଂଶ ବୃଦ୍ଧି ପାଇଁ ଶିମିଳିପାଳ ପ୍ରକୃଷ୍ଟ ସ୍ଥାନ ବୋଲି NTCA ପକ୍ଷରୁ ସ୍ପଷ୍ଟ ହେବା ପରେ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ ହୋଇଛି । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଏବଂ ବିଶେଷ କରି କଳାବାଘ ସଂଖ୍ୟା ବଢ଼ୁଥିବାରୁ ମହାବଳ ବାଘର ଜେନେଟିକ୍ ଡାଇଭର୍ସିଟିକୁ ନିୟନ୍ତ୍ରଣରେ ରଖିବାରେ ଏହି ବାଘୁଣୀ ସହାୟକ ହେବ ବୋଲି ବନ ବିଭାଗ ଆଶା ରଖିଛି।