ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ ଉପକୂଳ ଓଡିଶାରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ , ଗଞ୍ଜାମ ଓ ଗଜପତିରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୫ଦିନ ଯାଏ ରାଜ୍ଯର କିଛି କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୦ତାରିଖରୁ ବଢିବ ବର୍ଷାର ପରିମାଣ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନମାନ ଜାରି ହୋଇଛି । ୨୦ ତାରିଖରେ ୩ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଏବଂ ୨୧ ତାରିଖରେ ୪ ଜିଲ୍ଲା ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୩ ଦିନରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ସେପଟେ ମୌସୁମୀ ଆଗକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟର କିଛି କିଛି ଅଞ୍ଚଳରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।

 

You might also like