ରାଜ୍ୟରେ ୫ଦିନ ଯାଏ ଲାଗି ରହିବ ବର୍ଷା, ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
୫ଦିନ ଯାଏ ରାଜ୍ୟରେ ଲାଗି ରହିବ ବର୍ଷା । କାଲିଠାରୁ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, କଟକ, ବରଗଡ଼, ଝାରସୁଗୁଡ଼ାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେମି ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି ।
୧୮ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୪ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାମାନଙ୍କରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୫୪୬. ୮ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟରେ ସ୍ବାଭାବିକ ବର୍ଷା ପରିମାଣ ୬୧୫.୬ ମିମି ତୁଳନାରେ ଏହା ୧୧ପ୍ରତିଶତ ନିଅଣ୍ଟିଆ। ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବୃଷ୍ଟିପାତ ହୋଇଥିବା ବେଳେ ୨ଟି ଜିଲ୍ଲାରେ ଅଧିକ, ୧୪ ଜିଲ୍ଲାରେ ସ୍ବାଭାବିକ ଓ ୧୩ ଜିଲ୍ଲାରେେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।