ଏଣିକି ବିନା ପଞ୍ଜୀକରଣରେ ଚାଲୁଥିବା ଗାଡ଼ି ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ବ୍ୟାପକ ହେବ ଯାଞ୍ଚ ପ୍ରକିୟା

ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷା ଉପରେ ଗୁରୁତ୍ବ ଦେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବିନା ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଏପରି କ୍ଷେତ୍ରରେ କେବଳ ଜରିମାନା ଦେବାକୁ ପଡ଼ିବ ନାହିଁ ବରଂ ଜବତ କରାଯିବ ବୋଲି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି। ଏଭଳି ଗାଡ଼ି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ସାରା ରାଜ୍ୟରେ ଫିଟନେସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ସମସ୍ତ ଉପପରିବହନ ଆୟୁକ୍ତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନେକ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ କିଛି ଗାଡ଼ି ମାଲିକ ସଡ଼କ ସୁରକ୍ଷା ନିୟମକୁ ଅଣଦେଖା କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, ବୈଧ ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟ ବିନା ଗଡ଼ୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଇନସ୍ୟୁରାନ୍ସ କମ୍ପାନି ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବାର ନିୟମ ନନାହିଁ । ତେଣୁ ସଡ଼କ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ଗାଡ଼ିଗୁଡ଼ିକୁ ନିୟନ୍ତ୍ରଣ କରିବା ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଅବଧି ଶେଷ ହୋଇଥିବା ଫିଟନେସ୍ ଓ ରେଜିଷ୍ଟ୍ରେସନ୍ ଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେମାନଙ୍କ ମାଲିକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଏହି ନିର୍ଦ୍ଦେଶ ମୁତାବକ, ସମସ୍ତ ଗାଡ଼ିର ଫିଟନେସ ଓ ପଞ୍ଜୀକରଣ ବୈଧତା ସଂପର୍କରେ ନିୟମିତ ଭାବେ ସଂପୃକ୍ତ ଅଞ୍ଚଳର ମୋଟର ଯାନ ନିରୀକ୍ଷକମାନେ ତଥ୍ୟ ସଂଗ୍ରହ କରିବେ । ବୈଧତା ଶେଷ ହୋଇଥିବା ଗାଡ଼ିର ମାଲିକଙ୍କ ଠିକଣା ଓ ଯୋଗାଯୋଗ ନମ୍ବର ସହ ରିପୋର୍ଟ ପ୍ରସ୍ତୁତ କରାଯିବ ।  ଏଭଳି ଗାଡ଼ିଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବ । ଯଦି ବୈଧ ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟ ନ ଥିବା ଯୋଗୁଁ ଧରାପଡ଼ନ୍ତି ତେବେ ମୋଟର ଯାନ ଆଇନ ୧୯୮୮ର ଧାରା ୨୦୭ ଆଧାରରେ ସଂପୃକ୍ତ ଗାଡ଼ିକୁ ଜବତ କରାଯିବ ଏବଂ ଇ-ଚାଲାଣ ଜାରି କରାଯିବ । ଫିଟନେସ ଓ ପଞ୍ଜୀକରଣ ବୈଧତା ସରିଯାଇଥିବା ଗାଡ଼ିଗୁଡ଼ିକର ତଥ୍ୟ ପ୍ରତି ମାସ ଆରଟିଓମାନଙ୍କ ପକ୍ଷରୁ ବସ୍/ଟ୍ରକ୍/ଟ୍ୟାକ୍ସି ଆଦି ସଂଘଙ୍କୁ ପଠାଯିବ ଏବଂ ଏଭଳି ଗାଡ଼ିକୁ ସଂଘ ପକ୍ଷରୁ ଅନୁମୋଦିତ ନ କରିବାକୁ ଅନୁରୋଧ କରାଯିବ ।

ବୈଧ ଫିଟନେସ୍ ସାର୍ଟିଫିକେଟ୍ ନଥିବା ଗାଡ଼ିଗୁଡ଼ିକୁ କାର୍ଯ୍ୟରୁ ରୋକିବା ପାଇଁ ଟୋଲ୍ ଗେଟ୍ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ ।  ସଡ଼କ ନିରାପତ୍ତା ନିୟମପାଳନକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯିବ ଏବଂ ସମସ୍ତ କ୍ଷେତ୍ରରେ ଅନୁପାଳନର ଗୁରୁତ୍ୱକୁ ସୁଦୃଢ଼ କରାଯିବ ବୋଲି ମନ୍ତ୍ରୀ ଜେନା ଉଲ୍ଲେଖ କରିଛନ୍ତି ।