ଆସନ୍ତାକାଲି ବିଧାନସଭାରେ ଗୃହୀତ ହୋଇପାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ବିଧାନସଭାରେ ଗୃହୀତ ହୋଇପାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦। ଗତକାଲି ସଂଶୋଧିତ ବିଧେୟକ ଉପରେ ଘସାମାନ ଆଲୋଚନା ହୋଇଥିଲା। କିନ୍ତୁ ଏହାକୁ ନେଇ ତୁମୁଳ ହୋହଲ୍ଲା ହେବାରୁ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଉପରେ ଆଲୋଚନା ଅସମାପ୍ତ ରହିଥିଲା। ସଂଶୋଧିତ ବିଧେୟକରେ ବିଶ୍ୱବିଦ୍ୟାଳୟସ୍ତରରେ ଶିକ୍ଷା ବ୍ୟବସ୍ଥାରେ ବଡ଼ ସଂସ୍କାର ପାଇଁ ବିଲ୍‌ରେ ବ୍ୟବସ୍ଥା ରହିଛି । ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅଧିନରେ ରହିବ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ । ଉଚ୍ଛେଦ ହେବ ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଆଇନ-୨୦୦୫ । ଉଚ୍ଛେଦ ହେବ ସିନେଟ୍‌ । ପୁନଃଗଠନ ହେବ ସିଣ୍ଡିକେଟ୍‌ ।

ସେହିପରି କୁଳପତି ଚୟନ କମିଟିରେ, ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ ସଦସ୍ୟଙ୍କ ବଦଳରେ ଜଣେ ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ରାଜ୍ୟ ସରକାର ପ୍ରତିନିଧି ଭାବେ ରଖିବେ । କୁଳପତିଙ୍କ କାର୍ଯ୍ୟକାଳକୁ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯିବ । କୁଳପତିମାନଙ୍କ ଅବସର ବୟସ ସୀମା ୬୫ରୁ ୬୭ ବର୍ଷକୁ ବୃଦ୍ଧି ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି । ବିଶ୍ୱବିଦ୍ୟାଳୟରେ ଶିକ୍ଷକମାନଙ୍କ ଚୟନ କରିବ ଓଡ଼ିଶା ଲୋକସେବା ଆୟୋଗ।

ଷ୍ଟେଟ୍‌ ସିଲେକ୍‌ସନ ବୋର୍ଡ ଦ୍ୱାରା ନିଯୁକ୍ତ ହେବେ ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ। ସାଧାରତଃ ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ୍‌ ରିପୋର୍ଟ ବିଧାନସଭାରେ ଅଡିଟ ରିପୋର୍ଟ ଉପସ୍ଥାପିତ କରାଯାଏ। ଏବେ ଏହି ପ୍ରଥାକୁ ବନ୍ଦ କରାଯିବ । ବିଶ୍ୱବିଦ୍ୟାଳୟଗୁଡିକର ଅଡିଟ୍‌ ରିପୋର୍ଟ ୟୁନିଭର୍ସିଟି ୱେବ୍‌ସାଇଟରେ ସର୍ବନିମ୍ନ ୩ ବର୍ଷ ଲାଗି ଉପଲବ୍ଧ ହେବ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି।.

Leave A Reply

Your email address will not be published.