କୁବେର ଯନ୍ତ୍ରୀଙ୍କ ୧୧୦୧ ପ୍ରତିଶତ ଆୟବର୍ହିଭୂତ ସଂପତ୍ତି, ଭିଜିଲାନ୍ସ ଦ୍ବାରା ଗିରଫ

ବ୍ରହ୍ମପୁର : କୁବେର ଯନ୍ତ୍ରୀଙ୍କ ୧୧୦୧ ପ୍ରତିଶତ ଆୟବର୍ହିଭୂତ ସଂପତ୍ତି । ଭିଜିଲାନ୍ସ ଦ୍ବାରା ଗିରଫ ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଚଳାଚଳ ସଂପତ୍ତି ଦେଖି ଆଖି ତଟକା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ ସ୍ବାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅର୍ଜିଛନ୍ତି ୮ କୋଟି ୧୧ଲକ୍ଷ ୩୮ ହଜାର ଟଙ୍କାରୁ ଅଧିକ ବେନାମୀ ସଂପତ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ ସ୍ବାଇଁଙ୍କ ଘର, ଅଫିସ ସମେତ ଏକକାଳୀନ ୯ଟି ଜାଗାରେ ଚଢାଉ କରିଥିଲା ଭିଜିଲାନସ ।
ତାଙ୍କର ୬ଟି ବହୁତଳ କୋଠା ରହିଛି । ବ୍ରହ୍ମପୁର ତୁଳସୀନଗରରେ ଥିବା ୪ ମହଲା କୋଠାର ଦାମ ୨ କୋଟି ୪୦ ଲକ୍ଷ । ସେହିପରି ବ୍ରହ୍ମପୁରର ବାଗଦେବୀ ରୋଡରେ ଥିବା ଅନ୍ୟ ୪ ମହଲା କୋଠାର ଦାମ ୨କୋଟି ୩୦ ଲକ୍ଷ ଟଙ୍କା ହେବ । ଭଞ୍ଜନଗର ଭେଜିପୁଟରେ ୩୧୧୮ ବର୍ଗଫୁଟର ତିନିମହଲା କୋଠା ରହିଛି। ପ୍ରସନ୍ନ ସ୍ବାଇଁଙ୍କର ୫ଟି ମୂଲ୍ୟବାନ ପ୍ଲଟ ରହିଛି । ତାଙ୍କର ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା ରହିଛି ।
ଘରୁ ୨ଶହ ଗ୍ରାମ ସୁନା ଜବତ ହୋଇଛି । ନିଜର ଏତେ ସଂପତ୍ତି ବାବଦରେ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁ ଭିଜିଲାନ୍ସକୁ ସଠିକ ହିସାବ ଦେଇପାରିନଥିଲେ। ଭଞ୍ଜନଗର ବାସିନ୍ଦା ପ୍ରସନ୍ନ କୁମାର ସ୍ବାଇଁ ୨୦୦୩ ମସିହାରେ ଠିକା କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଲୋୟର ଇନ୍ଦ୍ର କେନାଲ ଡିଭିଜନରେ ୭ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏହାପରେ ଗଞ୍ଜାମର ଭଞ୍ଜନଗରରେ ଜଳସେଚନ ବିଭାଗରେ ୧୪ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଏହି ସମୟ ମଧ୍ୟରେ ଗତ ୨୦୧୩ ମସିହାରେ ତାଙ୍କୁ ସହକାରୀ ଯନ୍ତ୍ରୀ ପଦକୁ ପଦୋନ୍ନତି ପାଇଥିଲେ।