ଶୁଣିଲାନି ପ୍ରଶାସନ:ଶେଷରେ ନିଜ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଲେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର

ବାଲିଗୁଡା: ଶୁଣିଲାନି ସରକାର ଶୁଣିଲାନି ପ୍ରଶାସନ ।  ଶେଷରେ ନିଜ ସମସ୍ୟାର ସମାଧାନ ନିଜେ କଲେ । ମାଓ ପ୍ରବଣ ଅଂଚଳରେ ଆଗକୁ ଆସିଲେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର । ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗିବା ପରେ ଶେଷରେ ଏକତ୍ରିତ ହେଲେ । ସମସ୍ତଙ୍କ ସହଯୋଗରେ ନିର୍ମାଣ କଲେ ଚିରସ୍ରୋତା ରାହୁଲ ନଦୀ ଉପରେ ଏକ କାଠର ପୋଲ । ଯେଉଁ କାଠ ପୋଲ ସାଜିଛି ଚିରସ୍ରୋତା ରାହୁଲ ନଈ ପାରି ହେବା ପାଇଁ ଏବେ ସାହା ଭରସା ।

ବାରମ୍ବାର ଏହି ରାହୁଲ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ପ୍ରଶାସନ ଓ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି କାଡିମାହା ଗ୍ରାମବାସୀ । କିନ୍ତୁ ଆଜି ଯାଇଁ ବ୍ରିଜ ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆନଯିବାରୁ ଶେଷରେ ବାଧ୍ୟ ହୋଇ କାଠର ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ । ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ମାଓ ପ୍ରବଣ ଅଂଚଳ ଭାବେ ପରିଗଣିତ ସିର୍ଲା ପଂଚାୟତର କାଡିମାହା ଗାଁର । ଏହି କାଡିମାହା ଗ୍ରାମବାସୀଙ୍କ ପାଇଁ ବିକାଶରେ ବାଧକ ସାଜିଛି ଚିରସ୍ରୋତା ରାହୁଲ ନଦୀ ।

କାଡିମାହା ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଘରୁ ବାହାରିଲେ ପଡେ ଏହି ଚିରସ୍ରୋତା ନଦୀ । ଯେଉଁ ନଦୀ ପାର୍ ହେଲେ ହିଁ ପଡେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ, ପଂଚାୟତ କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟ ସେବା ନିମନ୍ତେ ତୁମୁଡିବନ୍ଧ ମେଡିକାଲ । ପ୍ରତିଟି କାର୍ଯ୍ୟ ରେ ପ୍ରତିବନ୍ଧକ ହୋଇ ଦାଉ ସାଜୁଛି ଏହି ରାହୁଲ ନଦୀ । ଦେଖନ୍ତୁ ଏହି ଦୃଶ୍ୟ କୁ, କିପରି ଭରା ନଦୀ ରେ ତାରକୁ ଧରି ନଦୀ ପାର୍ ହେଉଛନ୍ତି କାଡିମାହା ଗ୍ରାମବାସୀ ।

ଏଠି ସାଇକେଲ ହେଉ କି ବାଇକ କିପରି ନଦୀ ମଧ୍ୟରେ ଗ୍ରାମବାସୀ କାନ୍ଧେଇ ନଈ ପାର ହୋଇଥାନ୍ତି ଲୋକେ । ନଦୀ ପାର୍ ସମୟରେ କିଛି ବି ଅଘଟଣ ହେଲେ କି ଉପର ମୁଣ୍ଡ ରୁ ବଢ଼ି ପାଣି ମାଡି ଆସିଲେ କାଡିମାହା ଗ୍ରାମବାସୀଙ୍କ ସହ କିଛି ବି ଘଟିପାରେ । ତେବେ କାଡିମାହା ଗ୍ରାମବାସୀ ତାରକୁ ଧରି ନଦୀ ପାର୍ ହେବା କଷ୍ଟସାଧ୍ୟ ହୋଇ ପଡିବାରୁ ନଦୀ ପାର କେମିତି ହେବେ ସେଥିପାଇଁ ରାସ୍ତା ଖୋଜିଲେ । ଶେଷରେ ସମସ୍ତେ ଏକତ୍ରିତ ହୋଇ ରାହୁଲ ନଦୀ ଉପରେ  ନିର୍ମାଣ କରି ଦେଖାଇଛନ୍ତି କାଠର ପୋଲ । ଯେଉଁ ପୋଲ ନିର୍ମାଣ ପରେ ଏବେ ଅସ୍ଥାୟୀ ଭାବେ ନଦୀ ପାର୍ ହେଉଛନ୍ତି କାଡିମାହା ଗ୍ରାମବାସୀ ।

pole

ଏହି କାଡିମାହା ଗ୍ରାମରେ ୪୦ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ବର୍ଷ ବର୍ଷ ଧରି ଏକ ବ୍ରିଜ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା । ସିର୍ଲା ପଂଚାୟତକୁ ଆସିବା ହେଉ କି ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ଓ ମେଡିକାଲ ଏକ ମାତ୍ର ଭରସା ରାହୁଲ ନଦୀ । କିନ୍ତୁ ବର୍ଷା ଦିନରେ ଏହି ରାହୁଲ ନଦୀରେ ବଢ଼ି ପାଣି ଆସି ବାହ୍ୟ ଜଗତରୁ ବିଛିନ୍ନ ହୋଇଥାନ୍ତି ଏଠାକାର ଗ୍ରାମବାସୀ ।

ଏହି ନଈ ପାରି ହେବା ସମୟରେ ଅନେକ ଲୋକ ଭାସିଯାଇ ପ୍ରାଣ ମଧ୍ୟ ହରେଇଛନ୍ତି ପୂର୍ବରୁ । ଅନେକ ଗର୍ଭବତୀ ମହିଳା ପ୍ରସବ ପାଇଁ ନଦୀରେ ତାରକୁ ଧରି ପାରି ହେବା ସମୟରେ ଗର୍ଭ ନଷ୍ଟ ହୋଇଥିବାର ବି ନଜିର ରହିଛି । କେବଳ ଯେ ଏହି ରାହୁଲ ନଦୀ ଦେଇ କାଡିମାହା ଗ୍ରାମବାସୀ ଯାତାୟାତ କରିଥାନ୍ତି ତାହା ନୁହଁ ଏହି ରାହୁଲ ନଦୀ ଦେଇ ୧୫ଟି ଗ୍ରାମବାସୀ ମଧ୍ୟ ନିର୍ଭର କରିଥାନ୍ତି । ତୁମୁଡିବନ୍ଧ ବ୍ଲକ ସିର୍ଲା ପଂଚାୟତର କାଡିମାହା ଗାଁ ସମେତ କୋଟଗଡ଼ ବ୍ଲକ ସାର୍ତ୍ତୁଲ ପଂଚାୟତର ପାଙ୍ଗାଲ ପଦର,ଆର୍କିମାହା, ସାର୍ତ୍ତୁଲ, ରଢ଼ା ଡକରମାହା, ଟାଟମାହା ଓ ସୁବର୍ଣ୍ଣଗିରି ପଂଚାୟତ ଓ ପାରିଗଡ଼ ପଂଚାୟତର ମୋଟ ୧୫ରୁ ଅଧିକ ଗ୍ରାମବାସୀ ନିର୍ଭର କରିଥାନ୍ତି । ତେଣୁ ରାହୁଲ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି କାଡିମାହା ଗ୍ରାମବାସୀ ।

ରାହୁଲ ନଦୀ ଉପରେ ନିର୍ମାଣ କରାଯାଇଥିବା କାଠ ପୋଲ ପୁଣି ଥରେ ବର୍ଷା ପାଣି ଆସିଲେ ଭାସି ପଳେଇଯିବା ନେଇ ଏବେ ବି ଆଶଙ୍କାରେ ଗ୍ରାମବାସୀ । ତେଣୁ ସ୍ଥାୟୀ ସମସ୍ୟାର ସମାଧାନ ନେଇ ରାହୁଲ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ନେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ କାଡିମାହା ଗ୍ରାମବାସୀ ଅନୁରୋଧ କରିଛନ୍ତି । ସେପଟେ ତୁମୁଡିବନ୍ଧ ବ୍ଲକ ବିଡ଼ିଓ ବନ ବିହାରୀ ହରପାଲ ସମସ୍ୟା ବିଷୟରେ ଅବଗତ ପରେ ରାହୁଲ ନଦୀ ଉପରେ ବ୍ରିଜ ନିର୍ମାଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ପ୍ରଥମେ ତାରକୁ ଧରି ନଦୀ ପାର୍ ହେଉଥିବା ଗ୍ରାମବାସୀଙ୍କ ପାଇଁ ନିର୍ମାଣ କରାଯାଇଥିବା କାଠ ପୋଲ ହିଁ ସାଜିଛି ଏବେ ଏକମାତ୍ର ଭରସା । ତେବେ ପ୍ରଥମେ ତାର ସହାୟତାରେ ନଦୀ ପାରି ହେବା ପରେ ଏବେ କାଠ ପୋଲ ଦେଇ ଭରା ନଈ ପାରି ହେଉଥିବା କାଡିମାହା ଗ୍ରାମବାସୀଙ୍କ ପାଇଁ ସରକାର କେବେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ହିଁ ଅପେକ୍ଷା ।

 

You might also like