ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର(କେନ୍ଯୁଜ୍) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସୁଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତର ରୂପ ନେଇଛି ଏବଂ ଏହା ଏବେ ତାମିଲନାଡ଼ୁ ତଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି। ଏହା ଧୀ‌ରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସୁଦ୍ଧା ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଚେନ୍ନାଇ ପାଖାପାଖି ସ୍ଥଳ ଭାଗ ଅତିକ୍ରମ କରିବ।

ଏହା ପ୍ରଭାବରେ ଓଡ଼ିଶାରେ ୨୦ତାରିଖ ଦିନ ମାଲକା‌ନଗିରି, କୋରାପୁଟ ଓ ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ପାଗ ମେଘୁଆ ରହିପାରେ।

ତେବେ ଦୀର୍ଘ ଦିନର ମେଘୁଆ ପାଗ ପରେ ରାଜ୍ୟରେ କିନ୍ତୁ ଏବେ ପାଗ ଖରାଟିଆ ରହିଛି। କିଛି କିଛି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରାରେ ପ୍ରାୟ ୧ ରୁ ୨ଡିଗ୍ରି ଯାଏ ହ୍ରାସ ଘଟିଛି। ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ୧୫.୫ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। କିନ୍ତୁ ଆଗକୁ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ସମ୍ଭାବନା କମ୍‌।

ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଏହାପରେ ଆହୁରି ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଏଣୁ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.