ଜାଗା ପାଇଁ ଜୀବନ ହାରି ଦେଲେ ବାବଲୁ, ଏବେ ତାଙ୍କ ଗୁହାରୀ ଶୁଣିବ କି ପ୍ରଶାସନ?

ସମ୍ବଲପୁର (କେନ୍ୟୁଜ୍‌) : ସମଲେଇ ଯୋଜନାରେ ବିସ୍ଥାପିତ ହୋଇଥିଲେ ବାବଲୁ ପାତ୍ର । ତେଣୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ଗୁହାରୀ କଲେ । ହେଲେ କେହି ତାଙ୍କ କଥା ଶୁଣିଲେ ନାହିଁ । ସେ ଚେତାବନୀ ବି ଦେଲେ ଜୀବନ ହାରି ଦେବାକୁ । ତଥାପି କାହାର କାନରେ ପଡ଼ିଲା ନାହିଁ ତାଙ୍କ କଥା । ଶେଷର ସମ୍ବଲପୁର ଘୁନଘୁଟି ପଡ଼ାର ଯୁବକ ବାବ୍‌ଲୁ ସତରେ ଜୀବନ ହାରି ଦେଲେ। ଏବେ ମୃତ ବାବଲୁଙ୍କ ପରିବାରଙ୍କ ପାଇଁ ନ୍ଯାୟ ଦାବି କରି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଧାରଣା ଦେଉଛନ୍ତି।…

ସମ୍ବଲପୁର ସହରର ଘୁନଘୁଟିି ପଡ଼ାର ବାସିନ୍ଦା ହେଉଛନ୍ତି ବାବଲୁ ପାତ୍ର । ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ପରିବାର । ଅନେକ ଲୋକଙ୍କ ସହ ବାବଲୁଙ୍କ ପରିବାର ସମଲେଇ ଯୋଜନାରେ ବିସ୍ଥାପିତ ହେଲେ । ସରକାର ବାବଲୁଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ଦେଲେ। ଏହି କ୍ଷତିପୂରଣ ମିଳିଲା ବାବଲୁଙ୍କ ମା’ଙ୍କୁ । କୁସୁମ ପଡ଼ାରେ ବାବଲୁଙ୍କ ମା’ଙ୍କୁ ଯେଉଁ ଜାଗା ମିଳିଥିଲା ସେଠାରେ ସେମାନେ ଘର ନିର୍ମାଣ କଲେ। ହେଲେ ପରେ ବାବଲୁ ଓ ତାଙ୍କ ପରିବାରଙ୍କୁ ମା ସେଠାରେ ରଖିଲେ ନାହିଁ। ବାବାଲୁ ହୋଇଗଲେ ନିରାଶ୍ରୟ । ତେଣୁ ସେ ପ୍ରଶାସନର ଦ୍ୱାରସ୍ଥ ହେଲେ ଆଉ ତାଙ୍କୁ କ୍ଷତି ପୂରଣ ଦେବାକୁ ଦାବି କଲେ । ପ୍ରଶାସନ କିନ୍ତୁ କହିଲା କି ତାଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇ ସାରିଛି ତେଣୁ ଆଉ ଦିଆଯିବ ନାହିଁ । ସେଥିଲାଗି ତାଙ୍କୁ ରାଜ୍ଯ ସରକାରଙ୍କ ଯୋଜନାରେ ସାମିଲ କରିବାକୁ ଗୁହାରି କରିଥିଲେ। ହେଲେ ପ୍ରଶାସନ ତାଙ୍କୁ ସଫା ମନା କରି ଦେଇଥିଲେ। ଯାହା ଫଳରେ ବାବଲୁ ମହାନଦୀକୁ ଡ଼େଇଁ ନିଜ ଜିବନ ଦେବେ ବୋଲି ଧମକ ଦେଇଥିଲେ। ଏପରିକି ବାବଲୁ ନିଜ ଘରର ସମସ୍ତ ଆସବାବପତ୍ର ଧରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଚାଲି ଆସିଥିଲେ। ତଥାପି ପ୍ରଶାସନ ତାଙ୍କ କଥାଶୁଣିଲା ନାହିଁ । ତେଣୁ ବାବଲୁ ଗତ ୨୫ ତାରିଖ ଦିନ ମୃତ୍ୟୁକୁ ଆପଣାଇ ନେଇଥିଲେ।

ବାବଲୁଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ମୃତ୍ୟୁ ପାଇଁ କେବଳ ପ୍ରଶାସନ ଦାୟୀ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେଣୁ ବାବଲୁଙ୍କୁ ନ୍ଯାୟ ଦେବା ପାଇଁ ଘୁନଘୁଟିି ପଡ଼ା ବିସ୍ଥାପିତ ସୁରକ୍ଷା କମିଟି ଜିଲ୍ଲାପାଙ୍କ ଦ୍ୱାରସ୍ଥ ହୋଇଛି। ବାବଲୁଙ୍କ ପରିବାରେ ଏବେ ତାଙ୍କ ସ୍ତ୍ରୀ ଓ ଦୁଇ ଜଣ ଛୋଟ ଛୋଟ ପୁଅ ଅଛନ୍ତି।ହୁଏତ ବାବଲୁଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ କିଛି ଆଇନଗତ ବାଧା ଆସିପାରେ । ହେଲେ ମାନବିକତା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ଏ ଅସହାୟ ପରିବାର ପାଖରେ ଠିଆ ହେବା ଉଚିତ, ସାହସ ଦେବା ଉଚିତ ।
ସେପଟେ ଏହି ଘଟଣାରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି କି ଏହାର ଆଇନ ଅନୁଯାୟୀ ତଦନ୍ତ କରାଯିବ। ଯଦି ବାବଲୁ ସରକାରଙ୍କ ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ଥିବେ ତାହେଲେ ତାଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.