ଆମେରିକା ଭଳି ହେବ ଓଡ଼ିଶାର ରାସ୍ତା : କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ୱର : ଆମେରିକା ଭଳି ହେବ ଓଡ଼ିଶାର ରାସ୍ତା। ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ଏହା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଗଡ଼କରୀ କହିଛନ୍ତି ଓଡ଼ିଶାରେ ୨ ଲକ୍ଷ କୋଟିର ପ୍ରକଳ୍ପ କାମ ଚାଲୁ ରହିଛି । ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଥମେ କଟକରେ ହରେକୃଷ୍ଣ ମହତାବଙ୍କ ସ୍ମାରକୀ ବକ୍ତୃତାରେ ଯୋଗ ଦେଇଥିଲେ। ପରେ ସେ ମଞ୍ଚେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ବୁଲି ଦେଖିଥିଲେ।
ଓଡ଼ିଶାରେ ଯୋଗାଯୋଗର ନୂଆ ଯୁଗ । ଗଡ଼କରୀଙ୍କ ୪ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ । ତାଳଚେରଠାରୁ କାମାକ୍ଷାନଗର ଯାଏ ୪ ଲେନ ରାଜମାର୍ଗ ଲୋକାର୍ପିତ ହୋଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୮ଶହ କୋଟି ଟଙ୍କା । ସେହିପରି ବାଲିକୁଦା, ଶିଖରପୁର ଓ ବଡ଼ଚଣାଠାରେ ଅଣ୍ଡରପାସ ଲୋକାର୍ପିତ ହୋଇଛିି । ବଅଁରପାଳ-ଗୋଡ଼ିବନ୍ଧ ୪ ଲେନ ରାଜମାର୍ଗ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଅନ୍ତର୍ଗତ ବାଙ୍ଗିରିପୋଷି ଘାଟୀ ୪ ଲେନ ରାଜମାର୍ଗ, କଳହାଣ୍ଡି ଜିଲ୍ଲାର ରେତ ନଦୀ ଉପରେ ସେତୁ ନିର୍ମାଣ, ଟିଟିଲାଗଡ଼ ଟାଉନ ବାଇପାସ ଆଦି ୧୭ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।
ଡବଲ ଇଞ୍ଜିନ ସରକାର ସମୟରେ ଓଡ଼ିଶାରେ ବିକାଶ ଆଗକୁ ଯାଉଛି। ଗତ ଆଠ ମାସ ଭିତରେ ବିକାଶର ଚିତ୍ର ସ୍ପଷ୍ଟ ଭାବେ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପୂର୍ବ ଭାରତର ବିକାଶରେ ହିଁ ଦେଶର ବିକାଶ। ଆଜିଠୁ ବିକାଶର ଇଟା ପଡ଼ିଲା। ମିଶନ ୨୦୩୬ ବେଳକୁ ଓଡ଼ିଶା ଦେଶର ଏଭଳି ରାଜ୍ୟ ହେବ ଯେଉଁଠି ସର୍ବାଧିକ ରାସ୍ତା ଯୋଗାଯୋଗ କ୍ଷେତ୍ରରେ ତିଆରି ହୋଇଥିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଆଜି କଟକ ରେଭେନସା ବିଶ୍ବବିଦ୍ୟାଳୟରେ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆୟୋଜିତ ସ୍ମାରକୀ ବକ୍ତୃତା ଓ ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ । ଏହାପରେ ଭୁବନେଶ୍ବର ମଞ୍ଚେଶ୍ବରରେ ଥିବା ଓ୍ବାର୍ଲଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିଥିଲେ । ସେଣ୍ଟର ବୁଲି ଦେଖିବା ସହ ଏଠାରେ ବିଭିନ୍ନ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ଦିଆଯାଉଥିବା ସ୍କିଲ୍ ଟ୍ରେନିଂର ଗଡ଼କରୀ ପ୍ରଶଂସା କରିଛନ୍ତି ।